ହେଡଲାଇନସ୍:

ମଡେଲ ଗ୍ରାମ ପଞ୍ଚାୟତ ପଦକ୍ଷେପକୁ ବ୍ୟାପକ କରିଛି ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବ୍ରହ୍ମପୁର, ଜୁଲାଇ ୨୦୨୫: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର "ମଡେଲ ଗ୍ରାମ ପଞ୍ଚାୟତ (ମଡେଲ ଜିପି)" ପଦକ୍ଷେପ ଅଧୀନରେ ଆଉ ୧୪ ଟି ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସଶକ୍ତିକରଣ ଦିଗରେ ପ୍ରୟାସ ଜାରି ରଖିଛି। ପୂର୍ବରୁ କମ୍ପାନୀ ସମଗ୍ର ଦକ୍ଷିଣ ଓଡିଶାରେ ସଫଳତାର ସହ ୧୧୩ ଟି ମଡେଲ ଗ୍ରାମ ପଞ୍ଚାୟତ ବିକଶିତ କରିଛି, ଯାହା ଦ୍ଵାରା ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି।


ଏହି ପଦକ୍ଷେପ ଉନ୍ନତ ବିଜୁଳି ସେବା ପ୍ରଦାନ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ, ସମୟାନୁସାରେ ମିଟର ରିଡିଂ ଏବଂ ବିଲିଂ, ନୂତନ ସଂଯୋଗ, ଅଭିଯୋଗ ପ୍ରତିକାର ଓ ଉତ୍ତମ ଗ୍ରାହକ ସେବା ସୁନିଶ୍ଚିତ କରେ। ଏହାସହ ବୈଦ୍ୟୁତିକ ସୁରକ୍ଷା, ଗୋଷ୍ଠୀ ସଚେତନତା ଏବଂ ଡିଜିଟାଲ ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି।

ବିଶେଷ କରି ଭିତ୍ତିଭୂମି ବିକାଶ ଏବଂ ସୁରକ୍ଷା ସଚେତନତା ଆବଶ୍ୟକ କରୁଥିବା ଗ୍ରାମ ପଞ୍ଚାୟତ ପାଇଁ ଏହି ମଡେଲ ଜିପି ଅଭିଯାନ ପ୍ରସ୍ତୁତ କରାଯାଇଛି। ଟିପିଏସ୍ଓଡିଏଲ୍ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ୮ ଟି ଜିଲ୍ଲାରୁ ଗ୍ରାମ ପଞ୍ଚାୟତଗୁଡ଼ିକୁ ଚିହ୍ନଟ କରାଯାଉଛି, ଯାହା ଫଳରେ ଏସବୁ ଅଞ୍ଚଳରେ ସେବାର ଗୁଣବତ୍ତାରେ ଉନ୍ନତି ଘଟିଛି।

ଗତ ଆର୍ଥିକ ବର୍ଷରେ ଏହି ପଦକ୍ଷେପ ଅଧୀନରେ ଅନେକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କର୍ପୋରେଟ ସାମାଜିକ ଦାୟିତ୍ୱର ଅଂଶ ଭାବେ ଟିପିଏସ୍ଓଡିଏଲ୍ ପକ୍ଷରୁ ଇ-ପେମେଣ୍ଟ ପ୍ଲାଟଫର୍ମ ବ୍ୟବହାରକୁ ବଢ଼ାଇବା ପାଇଁ ଡିଜିଟାଲ ସାକ୍ଷରତା ଶିବିର ଆୟୋଜନ କରାଯାଇଥିଲା। ଏହାସହ ମଡେଲ ଗ୍ରାମ ପଞ୍ଚାୟତଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଏବଂ ଶକ୍ତି ସଂରକ୍ଷଣ ସଚେତନତା ପାଇଁ "କ୍ଳବ୍ ଏନର୍ଜି" ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହାସହ ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ଏବଂ ଉନ୍ନତ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ନୂତନ ବିଦ୍ୟୁତ ଖୁଣ୍ଟ ସ୍ଥାପନ, ନୂଆ କେବୁଲ୍ ସଂଯୋଗ, ବିତରଣ ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି ଇତ୍ୟାଦି ପଦକ୍ଷେପ ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।

ମଡେଲ ଗ୍ରାମ ପଞ୍ଚାୟତ ପଦକ୍ଷେପର ଲକ୍ଷ୍ୟ କେବଳ ବିଦ୍ୟୁତ ଯୋଗାଣରେ ସୀମିତ ନୁହେଁ। ବରଂ ଏହା ସୁରକ୍ଷା ସଚେତନତା, ଭରସାଯୋଗ୍ୟ ବିଜୁଳି ସେବା ଏବଂ ଫ୍ୟୁଜ କଲ୍ ଅଭିଯୋଗ କେନ୍ଦ୍ର (ସମ୍ପର୍କ କେନ୍ଦ୍ର) ମାଧ୍ୟମରେ ଗ୍ରାମୀଣ ଉପଭୋକ୍ତାଙ୍କୁ ସଶକ୍ତ କରୁଅଛି। ଉପଭୋକ୍ତାଙ୍କୁ ଇ-ବିଲ୍ ଏବଂ ଇ-ପେମେଣ୍ଟ ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯାଉଛି, ଯାହା ଫଳରେ ସେମାନେ ଆର୍ଥିକ ରିହାତି ପାଇବା ସହ ପରିବେଶ ସୁରକ୍ଷା ଦିଗରେ ଯୋଗଦାନ କରିପାରିବେ।


ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ମଡେଲ ଜିପି ପଦକ୍ଷେପ ମାଧ୍ୟମରେ ଏକ ସମାବେଶୀ ବିକାଶକୁ ଆଗେଇ ନେବା ଦିଗରେ ଆମେ ପ୍ରତିବଦ୍ଧ। ଏହା କେବଳ ଉନ୍ନତ ବିଜୁଳି ଯୋଗାଣରେ ସୀମିତ ନୁହେଁ, ବରଂ ଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ ମଧ୍ୟ ଏଥିରେ ଲକ୍ଷ୍ୟ ରହିଛି। ଡିଜିଟାଲ ଟେକ୍ନୋଲଜି, ସୁରକ୍ଷା ଏବଂ ଗୁଣାତ୍ମକ ସେବାକୁ ସମନ୍ୱୟ କରି ଆମେ ଗ୍ରାମାଞ୍ଚଳରେ ଏକ ସୁଦୃଢ଼ ଏବଂ ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ ବିତରଣ ବ୍ୟବସ୍ଥା ନିର୍ମାଣ କରୁଅଛୁ।"

ନୂତନ ଭାବେ ୧୪ ଟି ଗ୍ରାମ ପଞ୍ଚାୟତ ଯୋଡ଼ି ହେବା ପରେ ବର୍ତ୍ତମାନ ମୋଟ ୧୨୭ ଟି ମଡେଲ ଗ୍ରାମ ପଞ୍ଚାୟତ ରହିଛି। ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ, ଏବଂ ଟିପିଏସ୍ଓଡିଏଲର ସମସ୍ତ ୧୯ ଟି ଡିଭିଜନରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହୋଇଛି।

ଆଗାମୀ ଦିନରେ କମ୍ପାନୀ ଆହୁରି ଅନେକ ମଡେଲ ଗ୍ରାମ ପଞ୍ଚାୟତ ବିକାଶ କରିବାକୁ ଯୋଜନା ରଖିଛି। ଏହି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଗ୍ରାମାଞ୍ଚଳରେ ଗୋଷ୍ଠୀ ସଶକ୍ତିକରଣ ସହ ଉନ୍ନତ ମାନର ବିଜୁଳି ସେବା ଯୋଗାଇବା ଦିଗରେ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି।

0
0
0
s2sdefault