ଅର୍ଥ ସାଜିଛି ବାଧକ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗରିବ ରାମସିଂ ପଟେଲ
ନୂଆପଡା/ ପ୍ରିୟବ୍ରତ ପଣ୍ଡା :,ସେମିତି ତ ସରକାରୀ କାଗଜ କଲମରେ ଚାଲିଛି ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ଅନେକ ଯୋଜନା | ହେଲେ ବାସ୍ତବ କ୍ଷେତ୍ରରେ ତାହା କେମିତି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅଧିନସ୍ଥ ଫରସରା ଗ୍ରାମପଞ୍ଚାୟତର ସର୍ଗିଗୁଡା ଗ୍ରାମରେ ରହୁଥିବା ୭୦ ବୟସର ବୃଦ୍ଧ ରାମସିଂ ପଟେଲଙ୍କୁ ଦେଖି । ଦଶ ବର୍ଷ ହେବ ରାମସିଂ ଙ୍କ ବେକ ରେ ୩ କିଲୋ ବିଶିଷ୍ଟ ଏକ ଟ୍ୟୁମର ବଢି ଉଠିଛି | ହେଲେ ଅଭାବଗ୍ରସ୍ତ ରାମସିଂ ତାହାର ଚିକିତ୍ସା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ପରେ ହାତ ଟେକି ଦେଇଛନ୍ତି । ବଞ୍ଚିବାର ଆଶା ମଉଳି ଆସିଲାଣି । ପତ୍ନୀ ଙ୍କ ଅକାଳ ବିୟୋଗ ପରେ ରାମସିଂ ଏକାକୀ ଜୀବନ କାଟୁଛନ୍ତି | ସରକାରଙ୍କ ତରଫରୁ ମିଳିଛି ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର | ରାସନ କାର୍ଡଟେ ବି ଅଛି ଦୁଇ ପୁଅ ଦାଦନ ହେଇ ଆନ୍ଧ୍ରରେ । ଚାଉଳ ଥିଲେ ବି କେବେ କେବେ ରାନ୍ଧି ହୁଏନି ବୟସ ଅଧିକ ଥିବା ଏହି ବୃଦ୍ଧଙ୍କ ପକ୍ଷରେ | ଯଦି ତାଙ୍କ ଅବସ୍ଥାକୁ ଅନାହାର କୁହାନଯାଏ ତାହେଲେ ଅର୍ଦ୍ଧାହାର ତ ନିଶ୍ଚିତ କୁହାଯିବ । ଏହି ପରିଣତ ବୟସ ରେ ରାମସିଂ ବୁଡିଯାଉଥିବା ଲୋକ କୁ କୁଟାଖିଅ ସହାରା ଭଳି ସରକାରୀ ସହାୟତା ଅପେକ୍ଷାରେ । ଆମ ନୂଆପଡା ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା ଏନେଇ ପ୍ରଶାସନଙ୍କୁ ଅବଗତ କରାଇଥିଲେ , ଆଉ ଟ୍ୱିଟରେ ଉତ୍ତର ଆସିଲା ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର କଟକରେ ପହଞ୍ଚିବାକୁ | ହେଲେ ପ୍ରଶାସନ ବୁଝିବାକଥା ସର୍ବାହରା ରାମସିଂ କଟକ ଯିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି | ଜିଲ୍ଲା ସ୍ତରରୁ ତାଙ୍କୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି | ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ପହଞ୍ଚେଇ ଦେଲେ ସେ ଉପକୃତ ହେବେ ବୋଲି ଲୋକେ ମତ ପ୍ରକାଶ କରୁଛନ୍ତି ।