ସୋହେଲା(ଶାସକପ୍ରଶାସକ)-ଆସନ୍ତା ୨୧ ତାରିଖ ଦିନ ସୋହେଲା ନିକଟସ୍ଥ ଇଚ୍ଛାପାଲି ଗ୍ରାମଠାରେ କାଳିଆ ଚାଷୀ ମହାସମାବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶହେ ଏକର ଜମି ଉପରେ ବ୍ୟାରିକେଟିଂ,ଜମି ସମତଳ କରିବା ଆଦି କାର୍ଯ୍ୟ ଜୋରସୋରରେ ଚାଲିଛି । ଏଥିରେ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାର ଚାଷୀ,ମହିଳା ଓ ଯୁବ ଗୋଷ୍ଠୀ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ପ୍ରାୟ ୨ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିବେ । ଏନେଇ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୂଚନା ଦେଇ କହିଛନ୍ତି ଯେ ଏହି ସମାବେଶରେ ୧୮ ଲକ୍ଷ ବକେୟା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଇଚ ଟିପି କାଳିଆ ଯୋଜନାରେ ସେମାନଙ୍କ ଏକାଉଂଟକୁ ୫ ହଜାର ଟଙ୍କା ଲେଖାଏଁ ପୈଠ କରିବେ । ୧୩୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ଗଂଗାଧର ମେହେର ଜଳସେଚ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ସେହିପରି ସୋହେଲାରୁ ପଦ୍ମପୁର ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେର କାମ ପ୍ରାୟ ସରିଯାଇଛି । ଆଉ ଦିନେ ଦୁଇ ଦିନ ମଧ୍ୟରେ ତାହା ସଂପୂର୍ଣ୍ଣ ହୋଇଯିବ । ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିବେ । ପଦ୍ମଶ୍ରୀ ହଲଧର ନାଗ ସମ୍ବଲପୁରୀ/କୋଶଲୀ ଭାଷା ଗବେଷଣା କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ସମାବେଶରେ ବିଭିନ୍ନ ପ୍ରକଳ୍ପର ପ୍ରାୟ ୨ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ହେବ । ୧ଲକ୍ଷ ଲୋକଙ୍କ ପାଇଁ ବସିବା ପାଇଁ ଚୌକି ବ୍ୟବସ୍ଥା କରାଯାଉଛି । ସମାବେଶ ଦିନ ସକାଳ ସାଢେ଼ ଦଶଟାରେ ମୁଖ୍ୟମନ୍ତ୍ରୀ ପହଂଚିବେ ଓ ଗୋଟିଏ ଘଂଟାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଥିଲେ । ଆଜି ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ,ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଂଗିନୀ ଛୁରିଆ,ବରଗଡ ସାଂସଦ ପ୍ରଭାସ ସିଂ,ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ,ବିଜେପୁର ବିଧାୟିକା ରୀତା ସାହୁ,ଜିଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରମୁଖ ସମାବେଶ ସ୍ଥଳକୁ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବରଗଡ ଜିଲାର ମନ୍ତ୍ରୀ,ବିଧାୟକ,ନେତା,କର୍ମୀମାନେ ଏହାକୁ କିପରି ସଫଳ ହେବ ସେଥି ପାଇଁ ଲାଗି ପଡିଛନ୍ତି । ସମାବେଶର ସଫଳ ପାଇଁ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି । ଏଥିରେ ଅଧିକର ଅଧିକ ଲୋକ କିପରି ସମାଗମ ହୋଇ ପାରିବେ ସେଥିପ୍ରତି ସମସ୍ତେ ଲାଗିପଡିଛନ୍ତି । ଗତ ୨୦୧୫ରେ ସୋହେଲା ହଲଦିପାଲିପଡିଆଠାରେ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ । ସେତେବେଳେ ରାଜ୍ୟରେ ମନ୍ତ୍ରୀମାନଙ୍କୁ ବିରୋଧୀ ଦଳ ପକ୍ଷରୁ କଳାପତାକା ପ୍ରଦର୍ଶନ ହେଉଥିବାବେଳେ ଏହି ଚାଷୀ ସମାବେଶ ସଫଳତାର ସହିତ ସମାପନ ହୋଇ ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା ।
ରାଜ୍ୟ
ପୁଣି ସୋହେଲା ଚର୍ଚ୍ଚାରେ,୨୧ରେ କାଳିଆ ମହା ସମାବେଶ : ଉଦଘାଟିତ ହେବ ୨ହଜାର କୋଟିରୁ ଉର୍ଧ୍ଵ ଟଙ୍କାର ପ୍ରକଳ୍ପ
- Hits: 1451