ହେଡଲାଇନସ୍:

ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଛଅଟି ସର୍କଲରେ ୫୯୨୫ ଜଣିଆ ସ୍ବତନ୍ତ୍ର ଟିମ୍ ନିୟୋଜିତ

  • ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ ମହଜୁଦ

  • ତ୍ୱରିତ ପଦକ୍ଷେପ ପାଇଁ ଛଅଟି ଭ୍ରାମ୍ୟମାଣ ସବଷ୍ଟେସନ ଏବଂ ଦୁଇଟି ଟାୱାର ୱାଗନ ମୁତୟନ

  • ୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ୍ ସର୍ଭେ

  • ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ

ବ୍ରହ୍ମପୁର, ଜୁଲାଇ ୨୦୨୫: ମୌସୁମୀ ଋତୁରେ ଦକ୍ଷିଣ ଓଡ଼ିଶାରେ ବିଜୁଳି ବିତରଣ କ୍ଷେତ୍ରରେ ଅନେକ ଆହ୍ଵାନ ରହିଥିବା ବେଳେ, ଏହାର ମୁକାବିଲା କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଚଳିତ ବର୍ଷା ଋତୁରେ ଯେକୌଣସି ପ୍ରକାର ପରିସ୍ଥିତିର ସାମ୍ନା କରି ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ବିଜୁଳି ଯୋଗାଣ କରିବା ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।


ଘଞ୍ଚ ଜଙ୍ଗଲ, ପାହାଡିଆ ଅଞ୍ଚଳ ତଥା ଗ୍ରାମୀଣ ଇଲାକାରେ ଭରପୂର ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣ ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ତ୍ୱରିତ ପଦକ୍ଷେପ ସୁନିଶ୍ଚିତ କରିବା ସକାଶେ ଟିପିଏସ୍ଓଡିଏଲ୍ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରିଛି। ମୌସୁମୀ ଋତୁର ଆହ୍ଵାନକୁ ସାମ୍ନା କରିବା ପାଇଁ କମ୍ପାନୀ ପକ୍ଷରୁ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରାଯିବା ସହ ଏକ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି।


ଛଅଟି ସର୍କଲରେ ଜରୁରୀକାଳୀନ ଯାନ ଏବଂ ଅତିରିକ୍ତ ମାନବ ସମ୍ବଳ ସହ ୫,୯୨୫ ଜଣିଆ ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି। ବିଦ୍ୟୁତ ବିଚ୍ଛିନ୍ନ ଏବଂ ଗଛ ପଡ଼ି ବିଜୁଳି ସରବରାହ ବ୍ୟାଘାତ ହେବା ସମସ୍ୟାର ସମାଧାନ ପାଇଁ ୬ ଟି ଭ୍ରାମ୍ୟମାଣ ବିତରଣ ସବଷ୍ଟେସନ ଏବଂ ଦୁଇଟି ଟାୱାର ୱାଗନ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ଏଲଟି କେବୁଲ ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପଯୁକ୍ତ ପରିମାଣରେ ମହଜୁଦ ଅଛି। ଏହାସହ ପ୍ରତ୍ୟେକ ଡିଭିଜନରେ ରାତ୍ରି କାଳୀନ ମରାମତି କାମ ପାଇଁ ୨୫ ଟି ଆସ୍କା ଲାଇଟ୍ ଏବଂ ୧୯ ଟି ଡିଜି ସେଟ୍ ଉପଲବ୍ଧ ରହିଛି।


ବିତରଣ ନେଟୱର୍କକୁ ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଅଦ୍ୟାବଧି ୨୫୨୯ ଟି ଇଣ୍ଟରପୋଜିଂ ଖୁଣ୍ଟ ସ୍ଥାପନ କରାଯାଇଛି। ଚଳିତ ବର୍ଷ ଡ୍ରୋନ ମାଧ୍ୟମରେ ୧୧ କେଭି ଏବଂ ୩୩ କେଭି ବିଦ୍ୟୁତ ଲାଇନର ସର୍ଭେ କରାଯାଉଛି, ଯାହା ଫଳରେ ସମ୍ଭାବ୍ୟ ତ୍ରୁଟିକୁ ପୂର୍ବରୁ ଚିହ୍ନଟ କରାଯାଇପାରିବ। ବିଶେଷ କରି ଜଙ୍ଗଲ ଘେରା ପାହାଡିଆ ଅଞ୍ଚଳରେ ଏହା ସହାୟକ ହେବ। ବ୍ରହ୍ମପୁର ସ୍ଥିତ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ପିଏସସିସି) ଏବଂ ରାୟଗଡ଼, ଭଞ୍ଜନଗର ଓ ଜୟପୁରରେ ଥିବା ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ଏପିଏସସିସି) ୨୪ ଘଣ୍ଟା କାର୍ଯ୍ୟକ୍ଷମ ଅଛି ଏବଂ ସ୍କାଡ଼ା ଟେକ୍ନୋଲଜି ମାଧ୍ୟମରେ ୧୭୮ ଟି ସବଷ୍ଟେସନର ରିଅଲ ଟାଇମ୍ ନିରୀକ୍ଷଣ କରାଯାଉଛି।


ଆଇଭିଆରଏସ୍ ପରିଚାଳିତ ବ୍ୟବସ୍ଥା, ଏସଏମଏସ୍ ଆଲର୍ଟ ଏବଂ ମିସ୍ଡ କଲ୍ ସେବା (୯୭୭୭୭୭୪୬୯୯) ଦ୍ଵାରା ଗ୍ରାହକ ସମ୍ପର୍କ ସୁଦୃଢ ହୋଇଛି। ଏହା ମାଧ୍ୟମରେ ଉପଭୋକ୍ତାଙ୍କୁ ବିଦ୍ୟୁତ  ସେବା ବିଚ୍ଛିନ୍ନ ଏବଂ ପୁନଃଯୋଗାଣ ସମ୍ପର୍କିତ ସୂଚନା ତୁରନ୍ତ ମିଳିପାରୁଛି। ଏହା ବ୍ୟତୀତ ଟିପିଏସ୍ଓଡିଏଲର ୨୪×୭ କଲ୍ ସେଣ୍ଟର (ଟୋଲ୍ ଫ୍ରି ନମ୍ବର: ୧୯୧୨/ ୧୮୦୦୨୦୨୬) ସାହାଯ୍ୟରେ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ପ୍ରତିକାର କରାଯାଇପାରୁଛି। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହି ସେବା ସକ୍ରିୟ ରହିବ।


ଏହାସହ ଗୁଣବତ୍ତା ମାନକ ଏସଏଆଇଏଫଆଇ ଏବଂ ଏସଏଆଇଡିଆଇ ଭଳି ଟିପିଏସ୍ଓଡିଏଲର ଅନଲାଇନ୍ ପବ୍ଲିକେସନ୍ ଗୁଣାତ୍ମକ ସେବା ଯୋଗାଇବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି। ସ୍ୟାଟେଲାଇଟ ଫୋନ୍ ଏବଂ ଏକ ସ୍ବତନ୍ତ୍ର ୩୩ କେଭି କଣ୍ଟ୍ରୋଲ ଡେସ୍କ ମାଧ୍ୟମରେ ସବୁ ବିଭାଗ ମଧ୍ୟରେ ସମନ୍ଵୟକୁ ସୁନିଶ୍ଚିତ କରାଯାଇଛି। ଟେକ୍ନୋଲଜିର ଉପଯୋଗ ଏବଂ ସଶକ୍ତ ଟିମ୍ ପ୍ରସ୍ତୁତ କରି ଟିପିଏସ୍ଓଡିଏଲ୍ ମୌସୁମୀ ଋତୁରେ ଭରସାଯୋଗ୍ୟ ବିଜୁଳି ବିତରଣ କରିବା ଦିଗରେ ଏକ ମାନଦଣ୍ଡ ସ୍ଥାପନ କରିଛି।


ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ବର୍ଷା ଋତୁରେ ଆମେ ଉଭୟ ଉପଭୋକ୍ତା ଏବଂ ଆମ କର୍ମଚାରୀଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉ। ମୌସୁମୀର ଆହ୍ଵାନ ସତ୍ତ୍ୱେ ପ୍ରତ୍ୟେକ ଉପଭୋକ୍ତା, ବ୍ୟାବସାୟିକ ଅନୁଷ୍ଠାନ ଏବଂ ଅତ୍ୟାବଶ୍ୟକ ସେବାଗୁଡିକୁ ସର୍ବନିମ୍ନ ବ୍ୟାଘାତ ସହ ଉତ୍ତମ ବିଜୁଳି ସେବା ପ୍ରଦାନ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯାଉଛି। ସୁଦୃଢ଼ ନେଟୱର୍କ, ଡ୍ରୋନ ସର୍ଭେ ଭଳି ଉନ୍ନତ ଟେକ୍ନୋଲଜି ଏବଂ ଗ୍ରାହକ ସମ୍ପର୍କ ମାଧ୍ୟମରେ ଆମେ ଭରସାଯୋଗ୍ୟ ବିଜୁଳି ଯୋଗାଇବା ସହ ଉପଭୋକ୍ତାଙ୍କ ଚାହିଦା ଏବଂ ସମସ୍ୟାକୁ ଦୃଷ୍ଟିରେ ରଖି କାମ କରୁଛୁ।"

0
0
0
s2sdefault