ବଡ଼ବିଲ/ଚିତ୍ତରଞ୍ଜନ କର : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଶାଖା, ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ସ୍ଥାନୀୟ ଦେଓଝର (ପାତ୍ର ସାହି) ଏବଂ ମହାଦେବନଶା (ସ୍କୁଲ ସାହି) ଗ୍ରାମରେ ସ୍ଥାପନ କରାଯାଇଥିବା ଦୁଇଟି ପାନୀୟ ଜଳ ପ୍ରକଳ୍ପ କୁ କେନ୍ଦୁଝର ସାଂସଦ ଶ୍ରୀମତୀ ଶକୁନ୍ତଳା ଲାଗୁରୀ ସୋମବାର ଉଦଘାଟନ କରିଥିଲେ | ଗଭୀର ନଳକୂପ ଜଳରେ ଥିବା ଲୌହ କଣିକାକୁ ଅଲଗା କରି ଶୁଦ୍ଧ ପାନୀୟ ଜଳ ପ୍ରଦାନ କରୁଥିବା ଏହି ପ୍ରକଳ୍ପ ଦୁଇଟି ପାଖାପାଖି ଅଂଚଳର ପ୍ରାୟ ୫୦୦ ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ପାରିବ |
ଜେଏସପିଏଲ ଫାଉଣ୍ଡେସନର ଏହି ପଦକ୍ଷେପ କୁ ପ୍ରଶଂସା କରି ଶ୍ରୀମତୀ ଲାଗୁରୀ କହିଲେ, "କେନ୍ଦୁଝର ଭଳି ଖଣି ଖାଦାନ ଭରା ଅଂଚଳରେ ଏଭଳି ପ୍ରକଳ୍ପ ସ୍ଥାପନ କରିବା ବାସ୍ତବିକ ପ୍ରଶଂସନୀୟ | ଜେଏସପିଏଲ ଫାଉଣ୍ଡେସନ ଭଳି ଅନ୍ୟ କମ୍ପାନୀ ମାନେ ମଧ୍ୟ ସାଧାରଣ ଲୋକମାନଙ୍କର ଉନ୍ନତିପାଇଁ ସ୍ବେଛାକୃତ ଭାବେ ଆଗେଇଆସିବା ଦରକାର | "
ଏହି ପ୍ରକଳ୍ପ ପଶ୍ଚିମବଙ୍ଗର ଦୂର୍ଗାପୁର ଠାରେ ଥିବା ସେଣ୍ଟ୍ରାଲ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା ଡିଜାଇନ କରାଯାଇଛି | ପ୍ରତ୍ୟେକ ୟୁନିଟ ଦିନକୁ ୫୦୦୦ ଲିଟର ଶୁଦ୍ଧ ପିଇବା ପାଣି ଯୋଗାଇବାର କ୍ଷମତା ରହିଛି | ଏହି ପ୍ରକଳ୍ପ ଅକ୍ସିଡେସନ ଏବଂ ବ୍ୟାକୱାସ ପ୍ରଣାଳୀ ମାଧ୍ୟମରେ ନଳକୂପ ଜଳରୁ ଲୌହ କଣିକା କୁ ଅଲଗାକରି ସ୍ୱଚ୍ଛ ପିଇବା ପାଣି ପ୍ରସ୍ତୁତ କରିଥାଏ |
ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିବା ଚମ୍ପୁଆ ଉପଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟ୍ଟାୱାରୀ କହିଲେ, "ମୋର ବିଶ୍ୱାସ ଏଭଳି ପ୍ରକଳ୍ପ ଜନସାଧାରଙ୍କ ବହୁ ଉପକାରରେ ଆସିବ | ଏହି ପ୍ରକଳ୍ପ ସଫଳ ହେଲେ ଏହାକୁ ଅନ୍ୟାନ୍ୟ ଆବଶ୍ୟକୀୟ ଗ୍ରାମ ଗୁଡିକରେ ସ୍ଥାପନ କରାଯିବ | " ମହାଦେବନଶା ନିବାସୀ ଜନାର୍ଦନ ନାଏକ କହିଲେ, "ଏହି ସୁବିଧା ପାଇଁ ଆମେ ବହୁତ ଖୁସି ଏବଂ ଏଥିପାଇଁ ଆମେ ଜେଏସପିଏଲ ଫାଉଣ୍ଡେସନ ନିକଟରେ ରୂଣୀ ମଧ୍ୟ | ଆମର ବସବାସ ଖଣିର ତଳବର୍ତ୍ତୀ ଅଂଚଳରେ ହୋଇ ଥିବାରୁ ଏହାର ଭୂତଳ ଜଳରେ ବହୁ ମାତ୍ରାରେ ଲୌହକଣିକା ଥାଏ, ଯାହାକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ | ବର୍ତମାନ ଏହି ପ୍ରକଳ୍ପ ଦ୍ୱାରା ଆମେ ସବୁଦିନ ଶୁଦ୍ଧ ପିଇବା ପାଣି ପାଇ ପାରିବୁ | "
କମ୍ପାନୀର ଏକଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ (ସିଏସଆର ଏବଂ ଶିକ୍ଷା) ଶ୍ରୀ ପ୍ରଶାନ୍ତ ହୋତା କହିଲେ, "ଏଭଳି ପଦକ୍ଷେପ ବାସ୍ତବରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଉପରେ ବହୁ ପ୍ରଭାବ ପକାଇବ ଏବଂ ସେମାନଙ୍କର ଜୀବନର ମାନ ଉନ୍ନତ ହେବ | "
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସମେତ ଜେଏସ ପିଏଲ ବଡ଼ବିଲ ୟୁନିଟ ମୁଖ୍ୟ ଶ୍ରୀ ସୁରେଶ ଜି, ଦେଓଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମଙ୍ଗଲ ମୁଣ୍ଡା, ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଯୁଧିଷ୍ଠିର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ | ଏହାପୂର୍ବରୁ ପୂର୍ବାହ୍ନ ରେ ଚମ୍ପୁଆ ନିକଟରେ ଥିବା ମିରିଗିସିଂଗା ନଦୀପଠାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କୁ ମଧ୍ୟ ଶ୍ରୀମତୀ ଲାଗୁରୀ ଉଦଘାଟନ କରିଥିଲେ | ଏହି ସ୍ଥାନରେ ଜେଏସପିଏଲ ଫାଉଣ୍ଡେସନ ସହାୟତାରେ ଦର୍ଶକମାନଙ୍କ ପାଇଁ ସିମେଣ୍ଟ ବେଞ୍ଚ, ନଡାରେ ନିର୍ମିତ କୁଡ଼ିଆ ଘର, ନଦୀ ଧାରରେ ବାଉଁଶ ବାଡ଼, ଡଷ୍ଟବିନ, ପାହାଚ ଏବଂ ସେଲଫି ପଏଣ୍ଟ ନିର୍ମାଣ କରାଯାଇଛି |