ହେଡଲାଇନସ୍:

‘ହସ୍ତତନ୍ତ-କୁଟୀର ଶିଳ୍ପର ବିକାଶରେ ରାଜ୍ୟର ଉନ୍ନତି ସମ୍ଭବ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୧୭ ଉଦଘାଟିତ

 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ  ଭାରତ ସରକାରଙ୍କ ହସ୍ତତନ୍ତ ଉନ୍ନୟନ ଆୟୋଗ, ବସ୍ତ୍ର ମନ୍ତ୍ରାଳୟର ମିଳିତ ସହାୟତାରେ ଏକ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୧୭’ ସ୍ଥାନୀୟ ଆଇ.ଟି.ଆଇ. ପଡିଆଠାରେ ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୟନିକା ପକ୍ଷରୁ ଆୟୋଜିତ ମେଳାକୁ ଉଦ୍ଘାଟନ କରିଥିଲେ । ବୁଣାକାରମାନଙ୍କ ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରିବା ପାଇଁ  ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ସହ ହସ୍ତତନ୍ତ ସାମଗ୍ରୀର ବିପଣନ, ରପ୍ତାନୀ ଏବଂ ଇ-ମାର୍କେଟିଂ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ପ୍ରକାଶ କରିଥିଲେ । ସେହିପରି ବୁଣାକାରମାନଙ୍କୁ ଉନ୍ନତମାନର ଯନ୍ତ୍ରପାତି ଯୋଗାଇଦେବା, ସୁବିଧାରେ ବ୍ୟାଙ୍କ ଋଣ ଉପଲବ୍ଧ କରାଇବା, ଭୁବନେଶ୍ୱରଠାରେ ଏକ ଆନ୍ତର୍ଜାତୀୟ ମାନର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମୁ୍ୟଜିୟମ ପ୍ରତିଷ୍ଠା  କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ସେ ସୂଚନା ଦେଇଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ କୁମାର ବାରିକ,  ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦେଇ ହସ୍ତତନ୍ତ ଏବଂ କୁଟୀର ଶିଳ୍ପର ଉନ୍ନତିରେ ହିଁ ରାଜ୍ୟର ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ହସ୍ତତନ୍ତ ସାମଗ୍ରୀର ପ୍ରଚାର ତଥା ବିପଣନ ପାଇଁ ଏଭଳି ମେଳାର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ତେବେ ଲୋକମାନଙ୍କ ମଧ୍ୟରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଆଗ୍ରହ ବୃଦ୍ଧି ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ । ବୟନିକାର ସଭାପତି ଶେଷ କୁମାର ମେହେର ଉଦଘାଟନୀ ସଭାରେ ସଭାପତିତ୍ୱ କରିବା ସହିତ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରୟ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୟନିକା ପକ୍ଷରୁ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଥିବା ସୂଚନା ଦେଇଥିଲେ । ବୟନିକାର ମାର୍କେଟିଂ ମ୍ୟାନେଜର ଆର୍ତ୍ତରଂଜନ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ବିଭିନ୍ନ ପ୍ରକାର ହସ୍ତତନ୍ତ ସାମଗ୍ରୀର ପ୍ରାୟ ୩୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି । ଆସନ୍ତା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଗ୍ରାହକମାନଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଥିବା ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା  ଦିଆଯାଇଛି । 

0
0
0
s2sdefault