ହେଡଲାଇନସ୍:

କେନ୍ଦ୍ର ସରକାର ଚାଷୀମାନଙ୍କର ହାତ ଛାଡ଼ିଦେଇଛନ୍ତି,  ମୋଦି ସରକାରଙ୍କ ବିମୁଖତା ଓ ନିଷ୍ଠୁର  ଆଚରଣକୁ ବରଦାସ୍ତ କରିବେନି ଓଡ଼ିଶାର ଚାଷୀକୁଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ିଶାର ଦାବି ଉପରେ ଉତ୍ତର ରଖିଛି କେନ୍ଦ୍ର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କେନ୍ଦ୍ର ସରକାର ୨୦୧୭-୧୮ ବର୍ଷ ପାଇଁ ନିର୍ଦ୍ଧାରଣ କରିଛନ୍ତି, ତାହା ଯଥେଷ୍ଟ ଓ ଯଥାର୍ଥ । ମନ୍ତ୍ରାଳୟ ଆହୁରି ନିର୍ମମ ଭାଷାରେ ଜଣାଇଛି ଯେ ଯଦି ଏହି ମୂଲ୍ୟ ଚାଷୀଙ୍କୁ ପୋଷାଉନାହିଁ, ତେବେ ଚାଷୀମାନେ ନିଜର ଅମଳ ଧାନ ଖୋଲା ବଜାରରେ କିମ୍ବା ଯେଉଁଠି ଭଲ ମୂଲ୍ୟ ମିଳିବ ସେଠାରେ ଯାଇ ବିକ୍ରି କରନ୍ତୁ ।

 ସ୍ୱାମୀନାଥନ୍‍ କମିଶନ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନ କରନ୍ତୁ :ବିଜେଡି

ଭୁବନେଶ୍ୱର/ ଚକ୍ରଧର ମାଝି: ରାଜ୍ୟରେ ବର୍ତ୍ତମାନ ଅଦିନିଆ ବର୍ଷା, ମରୁଡ଼ି ଏବଂ ପୋକଲାଗି ଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାଧା ଯାଇ ପାରିବନି ଓ ଚାଷୀଙ୍କ ଇଛା  ନହେଲେ ବାହାରେ ବିକି ପାରନ୍ତି ବୋଲି  ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ନିର୍ମମ ପତ୍ର ଚାଷୀଙ୍କ ମୁଣ୍ଡରେ ଚଡ଼କ ମାରିବା ଭଳି ହୋଇଛି । ଏହା ଓଡ଼ିଶାର ଚାଷୀମାନଙ୍କ ପ୍ରତି ଚରମ ଉପହାସ ବ୍ୟତୀତ ଅନ୍ୟ କିଛି ନୁହେଁ । କେନ୍ଦ୍ର ସରକାରଙ୍କର ଚାଷ ଓ ଚାଷୀଙ୍କ ପ୍ରତି ଏପରି ବିମୁଖତା ଓ ନିଷ୍ଠୁର  ଆଚରଣକୁ ଓଡ଼ିଶାର ଚାଷୀକୁଳ ବରଦାସ୍ତ କରିବେ ନାହିଁ । ଚାଷୀମାନେ ନ୍ୟାଯ୍ୟ ମୂଲ୍ୟ ନପାଇବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେ଼ଇକୁ ଜୋରଦାର କରିବ ଏବଂ ଆଗାମୀ ଦିନରେ ଏହାକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି । 

 ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଯୋଗାଣ ମନ୍ତ୍ରୀ ତଥ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଓଡ଼ିଶାର ଚାଷୀମାନଙ୍କର ପ୍ରମୁଖ ଉତ୍ପାଦନ ହେଉଛି ଧାନ । ଧାନର ଉତ୍ପାଦନ ମୂଲ୍ୟ ବ୍ୟୟ ଅନୁପାତରେ ଯଥାର୍ଥ ହେଉନାହିଁ ଏବଂ ସରକାର ଧାନଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା କରିଛନ୍ତି । ଏହା ମଧ୍ୟ ଲାଭଜନକ ନୁହେଁ । ଏଣୁ ଏନ୍‍ଡିଏ ସରକାର ସ୍ୱାମୀନାଥନ କମିଟି ସୁପାରିସ୍‍ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ଏଯାଏଁ କାର୍ଯ୍ୟକାରୀ କଲେ ନାହିଁ । ଧାନର ସହାୟକ ମୂଲ୍ୟ ବୃଦ୍ଧି ନହେବା ପର୍ଯ୍ୟନ୍ତ ଚାଷୀମାନେ ଅଭାବ ଅସୁବିଧାରେ ରହିବେ । ସଂପ୍ରତି ଓଡ଼ିଶାର ଚାଷୀମାନେ ଯେଉଁ ଦୁର୍ଦଶା  ଭୋଗୁଛନ୍ତି, ତା’ର ମୁଖ୍ୟ କାରଣ ହେଉଛି, ଧାନର ଉଚିତ୍‍ ମୂଲ୍ୟ ନପାଇବା । ଏହି ପରିପ୍ରେକ୍ଷୀରେ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୂପ ଭାବେ ବିଜୁ ଜନତା ଦଳ ଚାଷୀମାନଙ୍କର ହକ୍‍ ହାସଲ ପାଇଁ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରିଆସୁଛି । ଏହି ପ୍ରସଂଗକୁ ନେଇ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛି । କିନ୍ତୁ କେନ୍ଦ୍ର ସରକାର ଅତି ନିର୍ଦୟ  ଭାବରେ ଚାଷୀମାନଙ୍କର ଦାବିକୁ ଗ୍ରହଣ କରୁନାହାନ୍ତି ବରଂ କଟା ଘା’ରେ ଚୂନ ଦେଲା ଭଳି କାର୍ଯ୍ୟ କରୁଛନ୍ତି । ଏବେ କେନ୍ଦ୍ର ସରକାର ଚାଷୀମାନଙ୍କର ହାତ ଛାଡ଼ିଦେଇଛନ୍ତି ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି । ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ତରଫରୁ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । ଏ ସଂପର୍କରେ ବିଚାର କରିବା ପାଇଁ ରାଷ୍ଟପ୍ରତି ସଂପୃକ୍ତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ନିର୍ଦ୍ଦେଶ  ଦେଇଥିଲେ । ମନ୍ତ୍ରାଳୟ ବିଚାର କରି ଏକ ପତ୍ର ମାଧ୍ୟମରେ ଜଣାଇଛି ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କେନ୍ଦ୍ର ସରକାର ୨୦୧୭-୧୮ ବର୍ଷ ପାଇଁ ନିର୍ଦ୍ଧାରଣ କରିଛନ୍ତି, ତାହା ଯଥେଷ୍ଟ ଓ ଯଥାର୍ଥ । ମନ୍ତ୍ରାଳୟ ଆହୁରି ନିର୍ମମ ଭାଷାରେ ଜଣାଇଛି ଯେ ଯଦି ଏହି ମୂଲ୍ୟ ଚାଷୀଙ୍କୁ ପୋଷାଉନାହିଁ, ତେବେ ଚାଷୀମାନେ ନିଜର ଅମଳ ଧାନ ଖୋଲା ବଜାରରେ କିମ୍ବା ଯେଉଁଠି ଭଲ ମୂଲ୍ୟ ମିଳିବ ସେଠାରେ ଯାଇ ବିକ୍ରି କରନ୍ତୁ । ରାଜ୍ୟ ସରକାରଙ୍କ ତରଫରୁ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୨୩୪୪ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୩୨୭ ଟଙ୍କା ଧାର୍ଯ୍ୟ କରିଛି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ ଟଙ୍କା ବୃଦ୍ଧି କରିବା ଧର୍ମକୁ ଆଖିଠାର ସଦୃଶ ହୋଇଛି । ପୁନରାୟ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚଳିତମାସ ୧୭ ତାରିଖରେ ବିଧାନସଭାର ଗୃହ କମିଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଦାବି ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଶ୍ରୀ  ଦାସବର୍ମା, ବିଧାୟକ ତଥା ସରକାରୀ ଦଳର ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ, ମୁଖପାତ୍ର ସସ୍ମିତ ପାତ୍ର, ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault