ଲଇକେରା ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା; ପ୍ରତ୍ୟେକ ସିଏଚସିରେ ଶବବାହକ ଗାଡ଼ି ଓ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି
ଝାରସୁଗୁଡ଼ା, ୭ ଜୁଲାଇ: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ଶବବାହକ ଗାଡ଼ି ନ ମିଳିବାରୁ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ ବାଇକରେ ବୋହି ନେବା ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ବିଫଳତା ଦର୍ଶାଇ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଇସ୍ତଫା ଦାବି କରି ଉଭୟଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ବିକ୍ଷୋଭରେ ବିଜେଡି ନେତୃବୃନ୍ଦ ଅଭିଯୋଗ କରିଥିଲେ ଯେ, ସାଧାରଣ ଲୋକଙ୍କୁ ସର୍ବନିମ୍ନ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଜଣେ ଅସହାୟ ବ୍ୟକ୍ତିଙ୍କୁ ଶବବାହକ ଗାଡ଼ିଟିଏ ମଧ୍ୟ ଯୋଗାଇ ନ ପାରିବା ସରକାରଙ୍କ ସମ୍ବେଦନହୀନତାର ପରିଚୟ ବୋଲି ସେମାନେ କହିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୀଡ଼ିତ ପରିବାର ଉପରେ ଚୁପ୍ ରହିବାକୁ ଚାପ ପକାଯାଇଥିବା ନେଇ ମଧ୍ୟ ବିଜେଡି ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଥିଲା।
ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ କେବଳ ମେଡିକାଲ ଭିତ୍ତିଭୂମିର ଉଦ୍ଘାଟନରେ ବ୍ୟସ୍ତ ଥିବାବେଳେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ଜିଲ୍ଲାର ପ୍ରତ୍ୟେକ ସିଏଚସିରେ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ିର ବ୍ୟବସ୍ଥା କରିବାକୁ ବିଜେଡି ଦାବି କରିଛି।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ହରିଶ ଗଣତ୍ରା, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଜୟନ୍ତୀ ବାହୁକ, ରାଣୀ ହାତୀ, ଚିତ୍ରେଣୀ ପଟେଲ, ଝାରସୁଗୁଡ଼ା ବ୍ଲକ ସଭାପତି ଦାମୋଦର ନାଥ, ଯୁବ ସଭାପତି ରବିନ ପାଣ୍ଡେ, ଛାତ୍ର ସଭାପତି ଶିବାଶିଷ ପଟ୍ଟନାୟକ, ପୂର୍ବତନ ସଭାପତି ରବି ସିଂ, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, କୋଲାବିରା ବ୍ଲକ ସଭାପତି ପୁରୁଷୋତ୍ତମ ନାୟକ, ସାଧାରଣ ସମ୍ପାଦକ ପବନ ସିଂ ଯାଦବ, ମଦନ ହାତୀ, ଚିରଞ୍ଜୀବ ପତି, ଦୀପା ନାଇକ, ଜ୍ୟୋତି ସୁନାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।







