ହେଡଲାଇନସ୍:

ବିଧବା ଆଦିବାସୀ ମହିଳା ପକ୍ଷାଘାତରେ ଶଯ୍ୟାଶାୟୀ , ଗରିବୀ ଓଗାଳିଛି ଚିକିତ୍ସାର ବାଟ , ସରକାର ଉଦାସୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର: ୦୭/୦୭/୨୦୨୬- ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁର ଜଣେ ବୟସ୍କା ଆଦିବାସୀ ମହିଳା ପକ୍ଷାଘାତରେ କାହିଁ କେଉଁ ଦିନରୁ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ତାଙ୍କ ଗରିବୀ ଚିକିତ୍ସାରେ ବାଧକ ସାଜିଛି। ସରକାରଙ୍କ ପାଖରେ ଖବର ନାହିଁ। ସହାୟତା ଅପେକ୍ଷାରେ ପରିବାର।

କୁଣ୍ଢେଇ ଗାଁରେ ଜେମା ଜୁଆଙ୍ଗର ଘର। ବୟସ ସତୁରୀରୁ ଅଧିକ ହେବ। ଆଜକୁ କୋଡିଏ ପଚିଶି ବର୍ଷ ତଳୁ ତା' ଗେରସ୍ତ ଆର ପାରିକି ଚାଲିଯାଇଛି। ଗୋଟିଏ ବୋଲି ପୁଅ ଥିଲା। ସେ ବି କେତେ ବର୍ଷରୁ ନିଖୋଜ ଅଛି। ଝିଅ ପାଖରେ ଅଛି। ଜେମା ଭତ୍ତା ପାଏ। ଏ ଭତ୍ତା ଟଙ୍କାରେ ପରିବାରର ଗୁଜୁରାଣ - ଖାଇବା, ପିନ୍ଧିବା, ତେଲ, ଲୁଣ ମେଣ୍ଟେ।

ଝିଅ ଜୟନ୍ତୀ ପର ଘରେ ମଜୁରୀ କରେ। ସେଇଥିରୁ ଯାହା ରୋଜଗାର କରେ, ସେଥିରେ ମା' ପାଇଁ ଔଷଧ କିଣେ। ଏମିତି କିଛି ଦିନ ସେ କରିଛି। ଏବେ ଆଉ ପାରୁ ନାହିଁ। ଗାଁ ପାଖରେ ବି ତା' ହାତକୁ କାମ ମିଳୁନାହିଁ। ରୁଗଣ ମା'କୁ ଛାଡି କାମ ପାଇଁ ଦୂର ସ୍ଥାନକୁ ଯିବ ବି କେମିତି? କାମ କରିବା ସହିତ, ମା'କୁ ବି ତ ଦେଖିବାକୁ ହେବ। ସକାଳୁ ରାତି ପର୍ଯ୍ୟନ୍ତ ମା'ର ସେବା କରିବାକୁ ପଡିବ। ଝିଅ ଏବେ ଅସହାୟ। ଏଇ ପରିସ୍ଥିତିରେ ମା' ଜେମା ପଡି ରହିଛି ବିଛଣାରେ। ବିନା ଔଷଧରେ। ବିନା ଚିକିତ୍ସାରେ।

ଜେମା ଓ ଝିଅ ଏପରି ଅସହାୟ ଅବସ୍ଥାରେ ଅଛନ୍ତି ବୋଲି ସରକାରଙ୍କ ପାଖରେ ଖବର ନାହିଁ। ନା କୈ।ଣସି ସ୍ଵାସ୍ଥ୍ୟ କର୍ମୀ ଜେମାର ଚିକିତ୍ସା କଥା ବୁଝନ୍ତି, ନା ଭ୍ରାମ୍ୟମାଣ ଦଳ ଅନାଇ ଦେଖନ୍ତି। ଆଦିବାସୀ କି ଗରିବ ହେଲେ ବୋଲି କ'ଣ ତାଙ୍କର ଚିକିତ୍ସା ପାଇବାର ଅଧିକାର ନାହିଁ ? ମାଗଣା ସରକାରୀ ଚିକିତ୍ସା କ'ଣ ଜେମା ପାଇଁ ମୈଳିକ ଅଧିକାର ନୁହେଁ? ଏ ପ୍ରଶ୍ନ ପଚାରିଛନ୍ତି ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ର ସ୍ଵେଚ୍ଛାସେବୀ। ମାଗଣା ଚିକିତ୍ସା ଏଇଠି ବାଟ ବଣା ହୋଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜେମା ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ବାଚନ ମଣ୍ଡଳୀର ଅଧିବାସୀ। ଜେମା ତାଙ୍କର ଭୋଟର। ଜେମା, ଝିଅ ଜୟନ୍ତୀ ଓ ଆଶାର ସ୍ଵେଚ୍ଛାସେବୀ ଆଶା ରଖିଛନ୍ତି - ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣିବେ। ଜେମାକୁ ଆବଶ୍ୟକ ଓ ମାଗଣା ଚିକିତ୍ସା ଯୋଗାଇ ଦେବେ। ଜେମା ପୁଣି ଛିଡାହେବ। ନିଜ କାମ ନିଜେ କରିବ। ଦେଖାଯାଉ, ଜେମାର ଦୁଃଖ କେବେ ଦୂର ହେଉଛି। ଝିଅ ଜେମା କେବେ ଆଶ୍ୱସ୍ତି ପାଉଛି।

0
0
0
s2sdefault