ଝାରସୁଗୁଡ଼ା: ରବିବାର ରାତିଠାରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଝାରସୁଗୁଡ଼ା ସହରର ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଝାରସୁଗୁଡ଼ା ପୌରପାଳିକାର ୱାର୍ଡ ନଂ–୫ ଅନ୍ତର୍ଗତ ଇଟାଭଟା ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ଅନେକ ଘରେ ପାଣି ପଶିଯାଇଛି। ଏହାଫଳରେ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଖବର ପାଇ ସୋମବାର ସକାଳେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଭାବିତ ଇଟାଭଟା ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ଜଳମଗ୍ନ ଅଞ୍ଚଳ ବୁଲି ଦେଖିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ଭେଟି ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ରିଲିଫ ଓ ଆବଶ୍ୟକ ସହାୟତା ଯୋଗାଇବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ପରିଦର୍ଶନ ପରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ପୂର୍ବରୁ ସହରରେ ଥିବା ପ୍ରାକୃତିକ ଜଳ ନିଷ୍କାସନ ପଥ, ପୋଖରୀ ଓ ଖାଲୁଆ ଜମି ଉପରେ ବେଆଇନ ନିର୍ମାଣ ହୋଇଥିବାରୁ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଝାରସୁଗୁଡ଼ା ସହର ପାଇଁ ଏକ ସମନ୍ୱିତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।
ସେ କହିଥିଲେ ଯେ, ପ୍ରସ୍ତାବିତ ମାଷ୍ଟର ପ୍ଲାନରେ ସହରକୁ ତିନୋଟି ଜୋନରେ ବିଭକ୍ତ କରାଯିବ। ସେହିପରି ସହରର ସମସ୍ତ ବର୍ଜ୍ୟଜଳକୁ ବିଶୋଧନ କରି ଶିଳ୍ପ ସଂସ୍ଥାଗୁଡ଼ିକୁ ଯୋଗାଣ କରିବାର ବ୍ୟବସ୍ଥା ମଧ୍ୟ କରାଯିବ। ଦୀର୍ଘ ବର୍ଷ ଧରି ଏପରି ସମନ୍ୱିତ ଯୋଜନା ପ୍ରସ୍ତୁତ ହୋଇନଥିବାରୁ ସହରବାସୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯୋଜନା କାର୍ଯ୍ୟକାରୀ ହେବାକୁ କିଛି ସମୟ ଲାଗିବ, ତେବେ ଭବିଷ୍ୟତରେ ଏହା ସହରର ଜଳନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି ପରିଦର୍ଶନ ସମୟରେ ଝାରସୁଗୁଡ଼ା ପୌରପରିଷଦର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, ଭାଜପା ନେତା ଅରବିନ୍ଦ ପାଠକ, ବିବେକ ଶ୍ରୀବାସଙ୍କ ସମେତ ପୌରପରିଷଦର ଅଧିକାରୀ ଏବଂ ଭାଜପା କର୍ମୀମାନେ ଉପସ୍ଥିତ ଥିଲେ।







