ପୁରୀ, ୬/୭ (ଅନିମେଶ ପଟ୍ଟନାୟକ): ରଥଯାତ୍ରା-୨୦୨୬ର ଶେଷ ସମନ୍ୱୟ ସଭା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୁରୀ ପୋଲିସ କଂଗ୍ରେସର ଏକାଧିକ ନେତାଙ୍କୁ ଅଟକ ରଖିଥିଲା।
ଅଟକ ହୋଇଥିବା ନେତାମାନଙ୍କ ମଧ୍ୟରେ ପୁରୀ ସଦର ବ୍ଲକର ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ, ଅବିନାଶ ମିଶ୍ର, ରଜତ କୁମାର ସାହୁ, ନଗର କଂଗ୍ରେସ ସଭାପତି ବିଶ୍ୱରଞ୍ଜନ ମହାପାତ୍ର, ଆଦର୍ଶ ମିଶ୍ର, ରାଜକିଶୋର ସ୍ୱାଇଁ, ଜିତୁ ଦାସ, ପିଣ୍ଟୁ ସାହୁ ଓ ଦୀପକ ବେହେରା ପ୍ରମୁଖ ଥିଲେ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପାଠ୍ୟପୁସ୍ତକର ତ୍ରୁଟି ଏବଂ ସମୟରେ ସଠିକ୍ ପାଠ୍ୟପୁସ୍ତକ ବିତରଣ ନହେବା, ପୁରୀବାସୀଙ୍କ ପାଇଁ ସହଜ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ଅଭାବ, ବିଭିନ୍ନ ମନ୍ଦିରର ଦାନ ପରିଚାଳନାକୁ ନେଇ ଉଠୁଥିବା ପ୍ରଶ୍ନ, ରଥଯାତ୍ରା ସମୟରେ କର୍ଡନ ପାସ ବଣ୍ଟନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଆପତ୍ତି, ସହରର ସାହି ଓ ଗଳିକନ୍ଦିରେ ନଳା ସଫେଇର ଅଭାବ, ରାସ୍ତା କାର୍ଯ୍ୟରେ ଅନିୟମିତତା, ବାରମ୍ବାର ବିଦ୍ୟୁତ କାଟ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଏବଂ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ାଜଳା ବିଭାଗ ନ ଥିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଏହି ପ୍ରତିବାଦ କରାଯାଇଥିଲା। ଦଳର ଅଭିଯୋଗ ଅନୁଯାୟୀ, ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ। ଏହି କାରଣରୁ କଳାପତାକା ପ୍ରଦର୍ଶନ ମାଧ୍ୟମରେ ପ୍ରତିବାଦ କରାଯାଇଥିବା କଂଗ୍ରେସ କହିଛି।
ରାମଚନ୍ଦ୍ର ସାହୁ କହିଛନ୍ତି ଯେ, ପୁରୀବାସୀଙ୍କ ଦାବିକୁ ଅଣଦେଖା କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
ଅଟକ ହୋଇଥିବା କଂଗ୍ରେସ ନେତାମାନଙ୍କୁ ଭେଟିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ସୁଜିତ ମହାପାତ୍ର, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ, ଜୀବେଶ ଚନ୍ଦ୍ର ରଥ ପ୍ରମୁଖ ରିଜର୍ଭ ପୋଲିସ ଲାଇନ ପରିଦର୍ଶନ କରି ସେମାନଙ୍କ ସହ ସାକ୍ଷାତ କରିଥିଲେ।







