ଭୁବନେଶ୍ୱର: କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ) ପକ୍ଷରୁ ୫ଟି ବର୍ଗ- ଫିକ୍ସନ, ନନ୍-ଫିକ୍ସନ, କବିତା, ଅନୁବାଦ ଓ ଡେବ୍ୟୁରେ କେଏଲଏଫ ବୁକ ଆୱାର୍ଡସ ୨୦୨୬ ପାଇଁ ଇଂରାଜୀ ସର୍ଟଲିଷ୍ଟ ବା ମନୋନିତ ତାଲିକାର ଘୋଷଣା କରାଯାଇଛି। ଏହି ସର୍ଟଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିବା ଉଲ୍ଲେଖନୀୟ ପୁସ୍ତକଗୁଡିକୁ ପାଳନ କରିବା ସହ ଇଂରାଜୀ ଲେଖା ଓ ସାହିତ୍ୟିକ ଅନୁବାଦ କ୍ଷେତ୍ରରେ ଉତ୍କୃଷ୍ଟତମ ଆଧୁନିକ ସ୍ୱରଗୁଡିକୁ ଆଲୋକିତ କରିଛି। ଅରୁନ୍ଧତୀ ରୟ, ଜିତ ଥ୍ୟାୟିଲ, ରୁଚିର ଯୋଶି, ବାନୁ ରଫିକ, ସୌମିୟ ଅଶୋକ, ସାମ ଡାଲ୍ଣିମ୍ପଲ, ମଣି ରାଓ, ଜେନିଫର ରବର୍ଟସନ ଓ ଦୀପା ଭାସ୍ଥିଙ୍କ ଭଳି ପ୍ରତିଷ୍ଠିତ ଲେଖକମାନଙ୍କ ପୁସ୍ତକଗୁଡିକୁ କଳିଙ୍ଗ ସାହିତ୍ୟ ମହୋତ୍ସବ ପୁସ୍ତକ ସମ୍ମାନ ୨୦୨୬ ପାଇଁ ସର୍ଟଲିଷ୍ଟ କରାଯାେଇଛି। ବିଜେତାଙ୍କ ନାମ ସେପ୍ଟେମ୍ବର ୨୦୨୬ରେ ଘୋଷଣା କରାଯିବ ଏବଂ ଆସନ୍ତା ଅକ୍ଟୋବର ୩ ଓ ୪ ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ଇଂଟରନ୍ୟାଶନାଲ ସେଂଟରଠାରେ ଆୟୋଜିତ ହେବାକୁ ଥିବା କେଏଲଏଫ ଇନ୍ଦ୍ରପ୍ରସ୍ଥର ଉଦ୍ଘାଟନୀ ସମ୍ମିଳନୀରେ ବିଜେତାଙ୍କୁ ସମ୍ମାନିତ କରାଯିବ। ଏହି ମହୋତ୍ସବ ପୁସ୍ତକ, ବିଚାରଧାରା ଓ ସାଂସ୍କୃତି ଆଲୋଚନାକୁ ପାଳନ କରିବା ପାଇଁ ଭାରତ ଓ ବିଦେଶର ଲେଖକ, ପ୍ରକାଶକ, ଅନୁବାଦକ, ବିଦ୍ୱାନ, କଳାକାର ଓ ସାହିତ୍ୟିକମାନଙ୍କୁ ଏକତ୍ରିତ କରିବ।
ଏସମ୍ପର୍କରେ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ)ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡା କହିଛନ୍ତି, “କେଏଲଏଫ ବୁକ୍ ଆୱାର୍ଡସ ପରମ୍ପରାକୁ ଆହ୍ୱାନ ଦେଉଥିବା, ସ୍ମୃତିକୁ ସଂରକ୍ଷିତ ରଖୁଥିବା ଓ ଆଲୋଚନାର ନୂତନ ସମ୍ଭାବନାକୁ ଉନ୍ମୁକ୍ତ କରୁଥିବା ପୁସ୍ତକଗୁଡିକୁ ସ୍ୱୀକୃତି ପ୍ରଦାନ କରିଥାଏ। ଚଳିତ ବର୍ଷ ସର୍ଟଲିଷ୍ଟ ହୋଇଥିବା ପୁସ୍ତକଗୁଡିକ ବିଭିନ୍ନ ବର୍ଗରେ ଆଧୁନିକ ଲେଖନୀର ସମୃଦ୍ଧତା ଓ ବିବିଧତାକୁ ପ୍ରତିଫଳନ କରୁଛି । ଆମେ ସର୍ଟଲିଷ୍ଟ ହୋଇଥିବା ସମସ୍ତ ଲେଖକଙ୍କୁ ଶୁଭେଚ୍ଛା ଜଣାଉଛୁ ଏବଂ ଆସନ୍ତା ଅକ୍ଟୋବର ୩ ଓ ୪ ତାରିଖରେ ଆୟୋଜିତ ହେବାକୁ ଥିବା କେଏଲଏଫ ଇନ୍ଦ୍ରପ୍ରସ୍ଥ ସମୟରେ ସେମାନଙ୍କର ସଫଳତାକୁ ପାଳନ କରିବା ପାଇଁ ଅପେକ୍ଷା କରିଛୁ।” କଳିଙ୍ଗ ସାହିତ୍ୟ ମହୋତ୍ସବ ଦ୍ୱାରା ଉପସ୍ଥାପନ କରାଯାଉଥିବା ସମସ୍ତ ସମ୍ମାନଗୁଡିକ ସାହିତ୍ୟ, ବିଚାରଧାରା ଓ ସାଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ଅଟେ। ବୁକ୍ ଆୱାର୍ଡସ ଓ ବର୍ଷସାରା ସାହିତ୍ୟିକ ପଦକ୍ଷେପଗୁଡିକ ମାଧ୍ୟମରେ କେଏଲଏଫ ଲେଖକ ଓ ପାଠକଙ୍କ ମଧ୍ୟରେ ସାହିତ୍ୟିକ ଉତ୍କର୍ଷତାକୁ ବିକଶିତ କରିବା ଓ ଅର୍ଥପୂର୍ଣ୍ଣ ସଂଯୋଗକୁ ପ୍ରୋତ୍ସାହିତ କରିବା ଜାରି ରଖିଛି। କେଏଲଏଫ ବୁକ ଆୱାର୍ଡସ ୨୦୨୬, ଫିକ୍ସନ, ଅଣ-ଫିକ୍ସନ, କବିତା, ଅନୁବାଦ ଓ ଡେବ୍ୟୁ ବର୍ଗରେ ୨୦୨୫ରେ ପ୍ରକାଶିତ ଉଲ୍ଲେଖନୀୟ ପୁସ୍ତକଗୁଡିକୁ ସମ୍ମାନିତ କରୁଛି ଏବଂ ସାହିତ୍ୟ ଓ ସାର୍ବଜନିନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଲେଖକମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରୁଛି।







