ହେଡଲାଇନସ୍:

ନିଜ ଅଞ୍ଚଳରେ ଆଇନ ରକ୍ଷାରେ ଫେଲ୍ ଆଇନ ମନ୍ତ୍ରୀ ବିଭାଗ ଛାଡ଼ନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଇନ ମନ୍ତ୍ରୀଙ୍କ ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁରରେ ଭିଡ଼ହିଂସାର ବର୍ବରତାକୁ ନେଇ ବର୍ଷିଲା ଓଜେସି

  • ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଓଜେସିର ଦାବି


ଭୁବନେଶ୍ବର : (୦୧.୦୭.୨୦୨୬) ଆଇନ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଠାରେ ଘଟିଥିବା ଭିଡ଼ ହିଂସାର ବର୍ବରତା ଓ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ଓଜେସି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଇନ ମନ୍ତ୍ରୀଙ୍କ ନିରବତା ଏବଂ ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତିକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ଓଜେସି।
ଏହି ଘଟଣା ଉପରେ ବିଶେଷ ତଥ୍ୟ ପ୍ରଦାନ କରି ଓଜେସି ମିଡିଆ ସେଲ୍ ଚେୟାରମ୍ୟାନ୍ ପ୍ରଶାନ୍ତ ଶତପଥୀ କହିଲେ ଯେ, ଗତ ୨୮ଜୁନ୍ ଅପରାହ୍ନ ୪ଟା ସମୟରେ ତୋଫାନ ନାୟକ ନାମକ ୩୨ ବର୍ଷୀୟ ଜଣେ ଦଳିତ ଯୁବକ ନିଜ ଗାଁ ଭୀମପୁର ଠାରୁ ପାଖରେ ଥିବା ଖଣତ ଗାଁକୁ ବୁଲିଯାଇଥିବାବେଳେ ଚୋର ସନ୍ଦେହରେ କିଛି ଅସାମାଯିବ ତତ୍ତ୍ୱ ଖୁଣ୍ଟରେ ରସିରେ ବାନ୍ଧି ନିସ୍ତୁକ ପିଟିଲେ । ଜଣେ ଗରିବ ଦଳିତ ଶ୍ରେଣୀର ଯୁବକ ଯିଏ ଗଛରୁ ନଡ଼ିଆ ତୋଳି ପରିବାର ନିର୍ବାହ କରେ ତାଙ୍କୁ ପିଟି ପିଟି ମାରି ଦିଆଗଲା। ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବାପରେ ଦୁଇ ଘଣ୍ଟା ବିଳମ୍ବରେ ପୋଲିସ ଆସି ତୋଫାନଙ୍କୁ ଭିଡ଼ ହିଂସାରୁ ଉଦ୍ଧାର କରି ଥାନାକୁ ନେଲେ । ଥାନାରେ ସନ୍ଧ୍ୟା ୬ଟାରୁ ରାତି ୯ଟାଯାଏଁ ତାଙ୍କୁ ରଖାଗଲା କିନ୍ତୁ ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ ତାଙ୍କୁ ଡାକ୍ତରଖାନାକୁ ନିଆଗଲା ନାହିଁ।
କେଉଁ ଅଦୃଶ୍ୟ ଚାପରେ ପୋଲିସ ଭିଡ଼ ହିଂସାର ଶୀକାର ଗୁରୁତର ଯୁବକଙ୍କୁ ଡାକ୍ତରଖାନାକୁ ନନେଇ ୩ ଘଣ୍ଟା ଥାନାରେ ରଖିବା ପରେ ତାଙ୍କ ବାପା ଭିକାରୀ ନାୟକଙ୍କ ପାଖରୁ ଟିପଚିହ୍ନ ମରା ଅଣ୍ଡରଟେକିଂ ରଖି ତାଙ୍କ ପରିବାରକୁ ହସ୍ତାନ୍ତର କରିଦେଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଅଣ୍ଡରଟେକିଂ ଯାହାକି ଆଉକାହା ଦ୍ୱାରା ଲେଖାଯାଇ ବାପା ଭିକାରୀ ନାୟକଙ୍କୁ ଟିପ ମାରିବା ପାଇଁ ବାଧ୍ୟ କରିବା, ସାଧାରଣରେ ପୋଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଘୋର୍ ସନ୍ଦେହ ସୃଷ୍ଟି କରିଛି । ମୃତକ ତୋଫାନ ନାୟକ ସନ୍ଧ୍ୟା ୬ଟାରେ ଥାନାକୁ ଯିବାଠାରୁ ରାତି ୯ଟାବେଳେ ଥାନାରୁ ବାହାରିବା ପର୍ଯ୍ୟନ୍ତ ପୁରା ସିସିଟିଭି ଭିଡିଓକୁ ସାର୍ବଜନୀନ କରୁ ବାଣପୁର ପୋଲିସ । ରାତିରେ ତୋଫାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ଏବଂ ସକାଳ ୬ଟାରେ ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ଡାକ୍ତର ଗୁରୁତର ଥିବା ତୋଫାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ସେ ଦିନ ୮ଟାରେ ବାଣପୁରରୁ ବାହାରି ଦିନ୧୦ଟାରେ ଭୁବନେଶ୍ୱର ପହଞ୍ଚିଥିଲେ। ୨୯ ତାରିଖ ଦିନ ୧୦.୩୦ ସମୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପର୍ଯ୍ୟନ୍ତ ଘଟଣାକୁ ୨ ଦିନ ବିତି ଯାଇଥିଲେ ମଧ୍ୟ ଦୃବୁର୍ତ୍ତଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଅତି ଅମାନବୀୟ ଘଟଣାକ୍ରମେ ପୁଅର ଶବକୁ ଭୁବନେଶ୍ୱରରେ ଛାଡ଼ି ବାପା ଭିକାରି ନାୟକ ୧୦୦ କିମି ଦୂର ବାଣପୁର ଯାଇ ଥାନାରେ ଜଣେଇଲା ପରେ ଏତଲା ପଞ୍ଜୀକରଣ କରାଯାଇଥିଲା ।
ଏଥିରେ ପ୍ରଶ୍ନ ହେଉଛି - ତୋଫାନଙ୍କୁ ଭିଡ଼ ହିଂସାରୁ ଉଦ୍ଧାର କରିବା ସମୟରେ ଦୃର୍ବୃର୍ତ୍ତଙ୍କୁ କାହିଁକି କାହା ଚାପରେ ପୋଲିସ ଗିରଫ କଲାନାହିଁ ?
ଆଇନଗତ ପ୍ରାବଧାନ ଅନୁସାରେ ପୋଲିସ ଚାହିଁଥିଲେ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇପାରିଥାନ୍ତେ କିନ୍ତୁ କାହାକୁ ସୁରକ୍ଷା ଦେବାକୁ ଯାଇ ତୁରନ୍ତ ତଦନ୍ତ ଆରମ୍ଭ କରାଗଲା ନାହିଁ । ମୃତକଙ୍କ ପରିବାରର ଅଭିଯୋଗ ହେଉଛି ଯେ, ଭିଡ଼ ହିଂସାରେ ଗୁରୁତର ଥିବା ତାଙ୍କ ପୁଅକୁ ଥାନା ଭିତରେ ମଧ୍ୟ ନିର୍ଯାତନା ଦିଆଯାଇଛି କିନ୍ତୁ ଏହାକୁ ନେଇ ପୋଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଯେଉଁ ସଫେଇ ଦେଉଛନ୍ତି ତାହା ଗ୍ରହଣୀୟ ହେଉନାହିଁ। ଆଇନ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟ ହୋଇଥିବାବେଳେ ଘଟଣା ସମ୍ପର୍କରେ ତାଙ୍କର ରହସ୍ୟମୟ ନିରବତା ଅନେକ ସନ୍ଦେହ ସୃଷ୍ଟି କରୁଅଛି।
ଏ ପରିପ୍ରେକ୍ଷୀରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଶ୍ରୀ ଶତପଥୀ ସରକାରଙ୍କ ପାଖରେ ୪ଟି ଦାବି ଉପସ୍ଥାପନ କରିଛନ୍ତି-

  • ୧- ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ
  • ୨- ଥାନାରେ ନିର୍ଯାତନା ଅଭିଯୋଗ ଉପରେ ତଦନ୍ତ ହେଉ ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଉ
  • ୩- ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉ
  • ୪- ନିଜ ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା କରିବାରେ ବ୍ୟର୍ଥ ଆଇନମନ୍ତ୍ରୀ ତାଙ୍କ ବିଭାଗରୁ ଇସ୍ତଫା ଦିଅନ୍ତୁ

 

 ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶୁଭେନ୍ଦୁ ମଲ୍ଲିକ ଏବଂ ସୋମନାଥ ରାଉତ ଉପସ୍ଥିତ ଥିଲେ ।

0
0
0
s2sdefault