ହେଡଲାଇନସ୍:

"ଆମ ପରମ୍ପରା ପ୍ରତି ଜାଗ୍ରତା କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପାନ୍ତ ଅଞ୍ଚଳରେ ଓଡ଼ିଶୀର ପ୍ରଚାର ପ୍ରସାର


ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା–୨୦୨୬ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଭୁବନେଶ୍ୱର ସ୍ଥିତ ତ୍ରିଧାରା ନୃତ୍ୟ ଅନୁଷ୍ଠାନ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
ଉପାନ୍ତ ଅଞ୍ଚଳରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କରିବା , ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା , ଲୋକଙ୍କୁ ଓଡ଼ିଶୀ ପ୍ରତି , ଆମ ପରମ୍ପରା ପ୍ରତି ଜାଗ୍ରତା କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ବୋଲି ତ୍ରିଧାରାର ନୃତ୍ୟ ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଥିଲେ।
ଏହି କର୍ମଶାଳାରେ ଗୁରୁ ଡି. ପ୍ରିୟଙ୍କା ସହଯୋଗ କରିବା ସହ ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ। ତିନିଦିନ ଧରି ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ଓଡ଼ିଶୀ ନୃତ୍ୟର ତାଳ , ଲୟ , ଭଙ୍ଗୀ , ମୁଦ୍ରା ଓ ଅଭିନୟ ସମ୍ପର୍କରେ ସମ୍ୟକ ଜ୍ଞାନ ଅର୍ଜନ କରିଥିଲେ।
କର୍ମଶାଳା ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କର୍ମଶାଳା ସ୍ଥାନୀୟ ଅଞ୍ଚଳରେ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନୂତନ ପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଛି।
ଏହା ସହିତ, ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ଗଜପତିରେ ଓଡ଼ିଶୀ ନୃତ୍ୟ ଓ ସାଂସ୍କୃତିକ ଶିକ୍ଷା ଉପରେ ଏକ ବ୍ୟାଖ୍ୟାନ-ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଷଷ୍ଠ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗୁରୁ ଡି. ପ୍ରିୟଙ୍କା ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ।

0
0
0
s2sdefault