ହେଡଲାଇନସ୍:

ବିଜେଡିକୁ ଝଟକା: ୧୫ ବର୍ଷର ସମ୍ପର୍କ ଛିନ୍ନ କଲେ ଜୟନ୍ତ ଦୀକ୍ଷିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୨୫ ଜୁନ:ବିଜୁ ଜନତା ଦଳ (ବିଜେଡି)କୁ ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବ୍ରଜରାଜନଗରର ବରିଷ୍ଠ ନେତା ଜୟନ୍ତ କୁମାର ଦୀକ୍ଷିତ ଗୁରୁବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ସ୍ୱାକ୍ଷରିତ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରିଥିବା ଜଣାପଡ଼ିଛି।

ଇସ୍ତଫାପତ୍ରରେ ଦୀକ୍ଷିତ ଉଲ୍ଲେଖ କରିଛନ୍ତି ଯେ, ସେ ଦୀର୍ଘ ୧୫ ବର୍ଷ ଧରି ବିଜେଡି ସହ ଜଡ଼ିତ ରହି ବିଭିନ୍ନ ସାଙ୍ଗଠନିକ ପଦପଦବୀ ଓ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଆସିଥିଲେ। ତେବେ ବ୍ୟକ୍ତିଗତ କାରଣବଶତଃ ସେ ଦଳର ସମସ୍ତ ପ୍ରାଥମିକ ସଦସ୍ୟ ପଦରୁ ଓହରି ଯାଉଥିବା କଥା ପତ୍ରରେ ଦର୍ଶାଇଛନ୍ତି।

ନିଜର ରାଜନୈତିକ ଓ ସାଙ୍ଗଠନିକ ଯାତ୍ରା ସମୟରେ ମିଳିଥିବା ସହଯୋଗ, ବିଶ୍ୱାସ ଓ ମାର୍ଗଦର୍ଶନ ପାଇଁ ସେ ଦଳର ସଭାପତି, ବରିଷ୍ଠ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଇସ୍ତଫାପତ୍ରର ନକଲ ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ମଧ୍ୟ ପଠାଯାଇଛି।

ଜୟନ୍ତ ଦୀକ୍ଷିତଙ୍କ ଏହି ନିଷ୍ପତ୍ତି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ତାଙ୍କର ରାଜନୈତିକ ପଦକ୍ଷେପ କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

0
0
0
s2sdefault