ହେଡଲାଇନସ୍:

ଟ୍ରାକ୍ଟର ଚଢ଼ାଇ ଚାଳକ ଫେରାର;ଗୁରୁତର ଯୁବକ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କା ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ କୁରୁମବାଙ୍କତରା ଗ୍ରାମ ବଡ଼ସାହିର ସୌମ୍ୟରଞ୍ଜନ ସାହୁ।
ଅଭିଯୋଗ ଅନୁଯାୟୀ, ପାଣ୍ଡେରିପଡା ପଞ୍ଚାୟତ ଭାଲିଆଡିହି ଗ୍ରାମର ପ୍ରଶନ୍ନ ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ ଓଡି–୨୫–ଆର–୫୭୯୬ ନମ୍ବର ବିଶିଷ୍ଟ ଟ୍ରାକ୍ଟରକୁ ବେପରୁଆ ଓ ଦ୍ରୁତ ଗତିରେ ଚଳାଇ ସୌମ୍ୟରଞ୍ଜନଙ୍କ ଉପରେ ସାମ୍ନାପଟୁ ଚଢ଼ାଇ ଦେଇଥିଲେ। ଘଟଣା ପରେ ଚାଳକ ଟ୍ରାକ୍ଟର ସହ ପାଣ୍ଡେରିପଡା ରାସ୍ତା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଗୁରୁତର ଅବସ୍ଥାରେ ରକ୍ତାକ୍ତ ଓ ଚେତାଶୂନ୍ୟ ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କର ଅଣ୍ଟା ଓ ଜଙ୍ଘ ହାଡ଼ ଭାଙ୍ଗିଯାଇଥିବାରୁ ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏ ସମ୍ପର୍କରେ ଆହତଙ୍କ ସାନଭାଇ ବିଶ୍ୱରଞ୍ଜନ ସାହୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ସୂଚନା ଅନୁସାରେ, କିଛିଦିନ ପୂର୍ବରୁ କୁରୁମବାଙ୍କତରା ଗ୍ରାମର କିଛି ମହିଳା ଭାଲିଆଡିହି ପର୍ଯ୍ୟନ୍ତ ଚାଲିବାକୁ ଯାଇଥିବା ବେଳେ କିଛି ଯୁବକ ସେମାନଙ୍କୁ କମେଣ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟରେ ବିବାଦ ଉପୁଜିଥିଲା। ଉକ୍ତ ବିବାଦର ସମାଧାନ ପାଇଁ ଭାଲିଆଡିହି ପକ୍ଷର ଡାକରା କ୍ରମେ କୁରୁମବାଙ୍କତରା ଗ୍ରାମର ୫ରୁ ୭ ଜଣ ଯୁବକ ରବିବାର ସନ୍ଧ୍ୟାରେ ଆଲୋଚନା ପାଇଁ ଭାଲିଆଡିହିରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବାର କିଛି ସମୟ ମଧ୍ୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୂର୍ବ ବିବାଦକୁ କେନ୍ଦ୍ର କରି ଆଲୋକ ପ୍ରଧାନ ଜାଣିଶୁଣି ଟ୍ରାକ୍ଟର ଚଢ଼ାଇଥିବା ନେଇ ବିଶ୍ୱରଞ୍ଜନ ସାହୁ ଅଭିଯୋଗ କରିଛନ୍ତି। ତେବେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

0
0
0
s2sdefault