ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ଏବଂ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଳ୍ୟରେ ଶନିବାର ଓଡ଼ଗାଁ ଇନଡୋର ଷ୍ଟାଡିୟମଠାରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ତହସିଲଦାର ତଥା ଦଣ୍ଡାଧିକାରୀ ଡ. ମାନସରଞ୍ଜନ ଭୋଇ, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରିତିବାଳା ରଣା, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏବଂ ଅତିରିକ୍ତ ତହସିଲଦାର ଜି. ଶ୍ରୀନୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଏନ୍.ଏ.ସି. ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ରଘୁନାଥ ହସ୍ କ୍ଲବ୍ ଓ ରଘୁନାଥ ଆଥଲେଟିକ୍ ଆସୋସିଏସନର ସଦସ୍ୟ, ସାମ୍ବାଦିକ, ବରିଷ୍ଠ ନାଗରିକ ଓ ବହୁ ଯୁବ କ୍ରୀଡ଼ାପ୍ରେମୀ ଅଂଶଗ୍ରହଣ କରିଥିଲେ।
ଯୋଗ ମହୋତ୍ସବ ସମିତିର ସଦସ୍ୟ ନୀଳମାଧବ ଆଚାର୍ଯ୍ୟ, ଅଂଶୁମାନ ବେହେରା, ରାଜେଶ ସେଠୀ ଏବଂ ସନ୍ନ୍ୟାସୀ ଆଚାରୀ ବିଭିନ୍ନ ପ୍ରକାରର ଯୋଗାସନ ଓ ପ୍ରାଣାୟାମର ପ୍ରଦର୍ଶନ ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା ଯୋଗର ଉପକାରିତା, ନୀରୋଗ ଓ ସୁସ୍ଥ ଜୀବନ ପାଇଁ ଏହାର ଆବଶ୍ୟକତା ଏବଂ ପ୍ରତିଦିନ ଯୋଗାଭ୍ୟାସ କରିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।
ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଯୋଗ, ଧ୍ୟାନ, ଶକ୍ତିମନ୍ତ୍ର ଓ ପ୍ରାଣାୟାମ କିପରି ଯୁବପିଢ଼ିର ଶାରୀରିକ ଓ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରେ, ସେ ବିଷୟରେ ଆଲୋକପାତ କରିଥିଲେ। ଏହାପରେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ସମସ୍ତଙ୍କୁ ଯୋଗକୁ ନିତିଦିନିଆ ଜୀବନର ଅଂଶ କରିବା ସହ ପରିବାର, ବନ୍ଧୁ ଓ ସମାଜକୁ ଏ ଦିଗରେ ଉତ୍ସାହିତ କରିବା ପାଇଁ ଶପଥପାଠ କରାଇଥିଲେ।
ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା ଓ ପ୍ରୀତିମୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏମ୍. ଶୁଭମ୍, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ନୀଳମାଧବ ମିଶ୍ର ଓ ସରୋଜ ଜେନା ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତଙ୍କ ମଧ୍ୟରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ସହ ସୁସ୍ଥ ଜୀବନଶୈଳୀ ଗଠନର ବାର୍ତ୍ତା ପ୍ରଦାନ କରିଥିଲା। ସେହିପରି କୋରପିଠା ଗ୍ରାମପଞ୍ଚାୟତ କଲ୍ୟାଣୀ ମଣ୍ଡପ ପରିସରରେ ସାକେରୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଜେନାଙ୍କ ତତ୍ବାବଧାନରେ ଆୟୋଜିତ ଶିବିର ଏବଂ ଓଡ଼ଗାଁ ଜାରିଙ୍ଗୀ ମିନିପାର୍କ ଶିବିରରେ ପାତଞ୍ଜଳି ଯୋଗ ସମିତି ଓଡ଼ଗାଁ ବ୍ଳକ ପ୍ରଭାରୀ ଭଗବାନ ପ୍ରଧାନ ଯୋଗାଭ୍ୟାସ କରାଇଥିଲେ।
ରାଜ୍ୟ
ଓଡ଼ଗାଁରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
- Hits: 280







