ବାଲେଶ୍ୱର, ତାରିଖ -୧୮/୦୬/୨୦୨୬: ବାଲେଶ୍ୱର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ (ସାଧାରଣ) ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଟେବୁଲ ଟପ ଏକସରସାଇଜ ବୈଠକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିଓମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ ବାଲେଶ୍ୱର ସଦର ବ୍ଲକ ଓ ବାଲେଶ୍ୱର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ I ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ପୂର୍ବ ପ୍ରସ୍ତୁତି କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଉପକୂଳବର୍ତ୍ତି ବାଲେଶ୍ବର ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ଉପଯୁକ୍ତ ଯୋଜନା ପ୍ରସ୍ତୁତି ଦ୍ଵାରା ଧନଜୀବନର ସୁରକ୍ଷା ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ପୂର୍ବ ବର୍ଷ ଭଳି ଜିଲ୍ଲାର ବନ୍ୟା ଓ ବାତ୍ୟା ପ୍ରବଣ ଅଂଚଳର ଲୋକମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ମୁକାବିଲାର ବିଭିନ୍ନ ଉପାୟ, ଅନୁସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା କାର୍ଯ୍ୟ ସମ୍ବନ୍ଧରେ ସଚେତନ କରିବା ପାଇଁ ଆସନ୍ତା ଜୁନ ୧୯ ତାରିଖରେ ଏକ ମକଡ୍ରିଲ ଲାଗି ଆଜିର ବୈଠକରେ ନିଷ୍ପତି ନିଆଯାଇଛି ।
ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା I
ଜିଲ୍ଲାର ବିଭିନ୍ନ ବ୍ଲକରେ ଅବସ୍ଥିତ ୧୪୪ ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହେବ । ସେହିପରି ରେଡକ୍ରସ ଦ୍ଵାରା ପରିଚାଳିତ ୧୨ଟି କେନ୍ଦ୍ରରେ ମଧ୍ୟ ଏହା ଅନୁଷ୍ଠିତ ହେବ । ମକଡ୍ରିଲ ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା, ସେଠାରେ ଥିବା ଯନ୍ତ୍ରପାତିଗୁଡିକୁ ପରୀକ୍ଷାନିରୀକ୍ଷା କରି ଆବଶ୍ୟକୀୟ ଜରୁରୀ ସରଞ୍ଜାମ ଠିକ ଅଛି କି ନାହିଁ, ସେ ବାବଦରେ ସ୍ଥାନୀୟ ବି.ଡି.ଓ କିମ୍ବା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଆଶ୍ରୟସ୍ଥଳୀ ସେକ୍ରେଟାରୀ ଓ ଅଗ୍ନିଶମ ଅଧିକାରୀ ମାନେ ଅବଗତ କରାଇବେ ।
ଏହି କାଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ଆରଣ୍ୟକ ମିଶ୍ର, ଜ଼ିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏନ.ଡି.ଆର.ଏଫ ,ଓ.ଡ୍ରା.ଫ ବାହିନୀ, ସ୍ଵେଛାସେବି ସଂଗଠନ, ଆପଦ ମିତ୍ର ସ୍ଵେଛାସେବି, ସିଭିଲ ଡେ଼ଫେନ୍ସ, ଅଗ୍ନିଶମ ବିଭାଗ ଅଧିକାରୀ, ବାଲେଶ୍ୱର, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଏବଂ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସଭାପତି ଓ ସମ୍ପାଦକ ମାନେ ଯୋଗଦାନ କରିଥିଲେ I ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ବାଲେଶ୍ୱର, ଶ୍ରୀ ଅବନୀ କାନ୍ତ ଭୂୟାଁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏବଂ ପରିଶେଷରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ମକ ଡ୍ରିଲ ନିମନ୍ତେ ଟେବୁଲ ଟପ ଏକସରସାଇଜ
- Hits: 56







