ହେଡଲାଇନସ୍:

ଶରଣକୁଳ ଲଡୁବାବା ଓ ଦୁତିକେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠରେ ମହାଆଡ଼ମ୍ବରରେ ପାଳିତ ହେଲା ଶିବ–ପାର୍ବତୀ ବିବାହ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୮।୬(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଲଡୁ ବାବା ଓ ଦୁତିକେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠରେ ଶିବ–ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଭକ୍ତିମୟ ପରିବେଶରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଓଡ଼ଗାଁ ନିକଟସ୍ଥ ଜାମୁପାଟଣା ଶୁଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ଶ୍ରୀ ଦୁତିକେଶ୍ୱର ମହାଦେବଙ୍କ ପୀଠ ଓ ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ଦୁତିକେଶ୍ୱର ମହାଦେବଙ୍କ ପୀଠରେ ଚଳିତ ବର୍ଷ ପନ୍ତିଖାରୀ ଶାସନର ବିଭୂତି ରଞ୍ଜନ ଷଡ଼ଙ୍ଗୀ କନ୍ୟାପିତା ଏବଂ ନୟାଗଡ଼ର ତତ୍କାଳୀନ ଜିଲ୍ଲାପାଳ ହେମନ୍ତ କୁମାର ପାଢ଼ୀ ବରପିତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ମନ୍ଦିର ପୁରୋହିତ ରବିନାରାୟଣ କରଙ୍କ ଦ୍ୱାରା ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ବରଣ, ଅଧିବାସ, ଲବଣି ଚଉରୀ, ହସ୍ତଗଣ୍ଠି ସହ ବିଭିନ୍ନ ବିବାହ ସଂସ୍କାର ସମ୍ପନ୍ନ ହୋଇଥିଲା। ପରେ ଦେବଦମ୍ପତି ମନ୍ଦିର ପରିକ୍ରମା କରି ଗର୍ଭଗୃହକୁ ପ୍ରବେଶ କରିଥିଲେ। ସ୍ଥାନୀୟ ଜନଶ୍ରୁତି ଅନୁସାରେ, ପୂର୍ବରୁ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଘେରା ଥିବାରୁ ରାତିବେଳେ ବଣ୍ୟଜନ୍ତୁଙ୍କ ଉପଦ୍ରବ ରହୁଥିଲା। ସେଥିପାଇଁ ସନ୍ଧ୍ୟା ପୂର୍ବରୁ ସମସ୍ତ ନୀତିକାନ୍ତି ସମାପନ କରାଯାଉଥିଲା। କାଳକ୍ରମେ ସେହି ପରମ୍ପରା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ଏବଂ ଦିନବେଳେ ହିଁ ଏହି ବିବାହ ଉତ୍ସବ ପାଳିତ ହୋଇଆସୁଛି। ସେହିପରି ଶରଣକୁଳର ଲଡୁବାବା ପୀଠରେ ମଧ୍ୟ ଶିବ ବିବାହ ଉତ୍ସବ ବିପୁଳ ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଲଡୁବାବା ବୃଷଭ ବାହନରେ ଆରୋହଣ କରି ଏକ ସୁସଜ୍ଜିତ ବରଯାତ୍ରୀ ସହ ବିବାହ ମଣ୍ଡପକୁ ଯାଇଥିଲେ। ମା’ ପାର୍ବତୀଙ୍କ ପକ୍ଷରୁ ଶ୍ରୀ ଗୋପୀନାଥ ମହାପ୍ରଭୁ ମନ୍ଦିରରୁ ଶୋଭାଯାତ୍ରା ବାହାରି ବିବାହ ମଣ୍ଡପରେ ପହଞ୍ଚିଥିଲା। ପାରମ୍ପରିକ ବାଟବରଣ ପରେ ବର ଓ କନ୍ୟା ପକ୍ଷ ମଧ୍ୟରେ ଗୀତ ମାଧ୍ୟମରେ ହାସ୍ୟରସାତ୍ମକ ଆକ୍ଷେପ– ପ୍ରତିଆକ୍ଷେପ କାର୍ଯ୍ୟକ୍ରମ ଭକ୍ତ ଓ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିଥିଲା। ପରେ ମନ୍ଦିର ଭିତରେ ଥିବା ବିବାହ ବେଦୀରେ ପୁରୋଧା ତୋଷବନ୍ତ କରଙ୍କ ଦ୍ୱାରା ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଉଭୟ ପୀଠରେ ମନ୍ଦିର ପରିଚାଳନା କମିଟି, ସେବାୟତ ଓ ସ୍ଥାନୀୟ ଭକ୍ତମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଜିଲ୍ଲାର କୋରପିଠା, ପନ୍ତିଖାରୀ ଶାସନ, ମଶାବାରି, କୈବଲ୍ୟପୁର, ରଙ୍ଗଣୀପାଟଣା, କୁରାଳ, ଗୋଠବଣ ଓ ଅନ୍ୟାନ୍ୟ ଶୈବପୀଠରେ ମଧ୍ୟ ଏହି ଅବସରରେ ଶିବ–ପାର୍ବତୀ ବିବାହ ଉତ୍ସବ ପାଳିତ ହୋଇଥିବା ଜଣାପଡ଼ିଛି।

0
0
0
s2sdefault