ଲଗାତର ଷଷ୍ଠ ଥର ପୁରସ୍କାର ହାସଲ, କର୍ମଚାରୀଙ୍କ ସଫଳତାକୁ ସମର୍ପିତ କଲେ ଅଧିକାରୀ
ଓଡ଼ଗାଁ, ୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଲଗାତର ଷଷ୍ଠ ଥର ପାଇଁ କାୟାକଳ୍ପ ପୁରସ୍କାର ହାସଲ କରିଥିବା ଅବସରରେ ବୁଧବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାୟାକଳ୍ପ ପୁରସ୍କାର ଉତ୍ସବ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ନୀଳାଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ପ୍ରଳାଶ କୁମାର ବାନାର୍ଜୀ ମୁଖ୍ୟବକ୍ତା ଏବଂ ଆଦର୍ଶ ଥାନା ଅଧିକାରୀ ସତ୍ୟନାରାୟଣ ବାରିକ, ଏନଏସି ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସାହୁ, ଆୟୁଷ ଚିକିତ୍ସକ ଡା. ପ୍ରଣତି ମଞ୍ଜରୀ ଶର୍ମା ଓ ଡା. ନରେଶ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଡା. ସ୍ୱାଇଁ ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ପରିବାର ସଦୃଶ ପରିଚାଳିତ ହେଉଥିବାରୁ ଲଗାତର କାୟାକଳ୍ପ ପୁରସ୍କାର ହାସଲ କରିବାରେ ସଫଳ ହୋଇଛି। ସମସ୍ତଙ୍କ ଏକତ୍ର ପ୍ରୟାସ ଓ ନିଷ୍ଠା ଅବ୍ୟାହତ ରହିଲେ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରସ୍ତରୀୟ ପୁରସ୍କାର ହାସଲ କରିବା ମଧ୍ୟ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ସ୍ୱାସ୍ଥ୍ୟ କେନ୍ଦ୍ରର ସୁନ୍ଦର ପରିବେଶ ଓ ପରିଚ୍ଛନ୍ନତାର ପ୍ରଶଂସା କରିଥିବା ବେଳେ ଡାକ୍ତରଙ୍କ ଅଭାବ ଦୂର କରିବାକୁ ଦାବି ଉଠାଇଥିଲେ। ସେହିପରି ଆଦର୍ଶ କୁମାର ପଟ୍ଟନାୟକ ସ୍ଥାନୀୟ ହସ୍ପିଟାଲରେ ଏକ୍ସ-ରେ ମେସିନ ସ୍ଥାପନ ପାଇଁ ପୁନର୍ବାର ଦାବି ଜଣାଇଥିଲେ।
କାର୍ଯ୍ୟକ୍ରମରେ ଡା. ସୁଶାନ୍ତ କୁମାର ସ୍ୱାଇଁଙ୍କ ଠାରୁ ଡା. ନୀଳାଞ୍ଜନ ଦାସ କାୟାକଳ୍ପ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ ପରେ ଡା. ଦାସ ଏହି ସଫଳତାକୁ ସମସ୍ତ ସହଯୋଗୀ ଡାକ୍ତର, କର୍ମଚାରୀ ଓ ଅଧସ୍ତନ ସହକର୍ମୀଙ୍କୁ ସମର୍ପଣ କରିଥିଲେ। ଅନ୍ୟପକ୍ଷରେ କାୟାକଳ୍ପ ପ୍ରକଳ୍ପର ସଫଳ ରୂପାୟନରେ ସହଯୋଗ କରିଥିବା ସ୍ଥାନୀୟ ସାମ୍ବାଦିକମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗୀ ଡାକ୍ତର ଓ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଅତିଥିମାନେ ସମ୍ମାନିତ କରିଥିଲେ। ଦନ୍ତ ଚିକିତ୍ସକ ଡା. ସମ୍ବିତ ପ୍ରସାଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉତ୍ସବରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।







