ହେଡଲାଇନସ୍:

ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିଶୁ ପୋଷଣ କ୍ଷେତ୍ରରେ ବ୍ୟାପକ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଚିଠି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 NFHS-6 ର ଚିନ୍ତାଜନକ ତଥ୍ୟ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ ।


ଭୁବନେଶ୍ୱର/ବ୍ରହ୍ମପୁର, ୧୭ ଜୁନ୍ ୨୦୨୬:ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-6) ର ନୂତନ ରିପୋର୍ଟ ଆଧାରରେ ଓଡ଼ିଶାର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଜନିତ ରୋଗର ଚିନ୍ତାଜନକ ସ୍ଥିତି ଉପରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର (Ref No: MP/BAM/2026/PH-094) ପ୍ରେରଣ କରିଛନ୍ତି। ସମ୍ପ୍ରତି ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ର ତଥ୍ୟକୁ ଭିତ୍ତି କରି ସାଂସଦ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଥିବା କେତେକ ବଡ଼ ତ୍ରୁଟି ଏବଂ ଏହାର ପ୍ରତିକାର ପାଇଁ ବ୍ୟାପକ ପ୍ରସ୍ତାବ ଦେଇଛନ୍ତି।
ସାଂସଦ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଡାକ୍ତରଖାନା ଜନ୍ମ (Institutional Deliveries) ହାର ୯୨.୨% ରୁ ୯୩.୯% କୁ ବୃଦ୍ଧି ପାଇଛି, ଯାହା ଏକ ସକାରାତ୍ମକ ଦିଗ। କିନ୍ତୁ ବିପର୍ଯ୍ୟୟର ବିଷୟ ହେଉଛି, ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ହାର ୬୮.୫% ରୁ ହ୍ରାସ ପାଇ ୬୦.୯% ହୋଇଯାଇଛି। ସେହିପରି ୬ ମାସରୁ କମ୍ ଶିଶୁଙ୍କୁ କେବଳ ସ୍ତନ୍ୟପାନ (Exclusive Breastfeeding) କରାଇବା ହାର ମଧ୍ୟ ୭୨.% ରୁ ୬୬.୭% କୁ ଖସି ଆସିଛି। ବିଶେଷ କରି ସହରାଞ୍ଚଳରେ ଏହି ସ୍ଥିତି ଅଧିକ ଚିନ୍ତାଜନକ, ଯେଉଁଠାରେ ମାତ୍ର ୫୮.୬% ଶିଶୁ ପ୍ରଥମ ଘଣ୍ଟାରେ ମା’ କ୍ଷୀର ପାଉଛନ୍ତି। ଏହାଛଡ଼ା, ୬ ରୁ ୨୩ ମାସର ଶିଶୁଙ୍କୁ ଉପଯୁକ୍ତ ପୋଷଣ ଯୋଗାଇବା ହାର ରାଜ୍ୟରେ ୨୦.୧% ରୁ କମି ୧୫.୩% ରେ ପହଞ୍ଚିଛି।
ଅନ୍ୟପଟେ, ରାଜ୍ୟରେ ନିଶାଦ୍ରବ୍ୟ ସେବନ ଏବଂ ମେଦବହୁଳତା (Obesity) ଭଳି ସମସ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳ ଓଡ଼ିଶାରେ ୫୦.୬% ପୁରୁଷ ଓ ୨୪.୪% ମହିଳା ତମାଖୁ ସେବନ କରୁଥିବା ବେଳେ ୨୮% ପୁରୁଷ ଏବଂ ୩.୫% ମହିଳା ମଦ୍ୟପାନ କରୁଛନ୍ତି, ଯାହା ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ଏଥିସହିତ ବେସରକାରୀ ହସ୍ପିଟାଲଗୁଡ଼ିକରେ ସିଜରିଆନ୍ (C-Section) ପ୍ରସବ ହାର ଜାତୀୟ ସ୍ତରରେ ୫୪.୧% କୁ ବୃଦ୍ଧି ପାଇବା ଏବଂ ମଧୁମେହ (Diabetes) ରୋଗ ବଢ଼ିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ପକାଉଛି।
ସାଂସଦଙ୍କ ପ୍ରମୁଖ କାର୍ଯ୍ୟକାରୀ ପ୍ରସ୍ତାବଗୁଡ଼ିକ:
୧. ଡାକ୍ତରଖାନାରେ "Golden Hour" ନିୟମ କଡ଼ାକଡ଼ି: ସରକାରୀ ଓ ବେସରକାରୀ ହସ୍ପିଟାଲରେ ଶିଶୁ ଜନ୍ମର ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବାକୁ ବାଧ୍ୟତାମୂଳକ କରାଯାଉ ଏବଂ ଏଥିପାଇଁ ସ୍ୱତନ୍ତ୍ର "Lactation Counselors" ନିଯୁକ୍ତ ହୁଅନ୍ତୁ।
୨. ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ପୋଷଣ ଅଭିଯାନ: ସହରାଞ୍ଚଳର କାର୍ଯ୍ୟରତ ମହିଳା ଓ ଶିଶୁଙ୍କ ପାଇଁ 'ରାଷ୍ଟ୍ରୀୟ ସହରୀ ସ୍ୱାସ୍ଥ୍ୟ ମିଶନ' (NUHM) ଅଧୀନରେ ବିଶେଷ ସଚେତନତା ଶିବିର କରାଯାଉ।
୩. 'ମମତା ଯୋଜନା'ର ସମ୍ପ୍ରସାରଣ: ଶିଶୁଙ୍କ ପୋଷଣ ସ୍ଥିତି (Adequate Diet) ସୁଧାରିବା ପାଇଁ ୬ ମାସରୁ ଅଧିକ ଶିଶୁଙ୍କୁ ପୋଷକତତ୍ତ୍ୱ ଯୁକ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉ।
୪. ଗ୍ରାମାଞ୍ଚଳରେ ନିଶା ନିବାରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା: ଗ୍ରାମାଞ୍ଚଳରେ ବଢ଼ୁଥିବା ତମାଖୁ ଓ ମଦ୍ୟପାନ ରୋକିବାକୁ ପଞ୍ଚାୟତ ସ୍ତରରେ ସଚେତନତା ଏବଂ 'ଆୟୁଷ୍ମାନ ଆରୋଗ୍ୟ ମନ୍ଦିର' ଜରିଆରେ ମଧୁମେହ ଓ ରକ୍ତଚାପ ପରୀକ୍ଷା ବ୍ୟାପକ କରାଯାଉ।
୫. ଅନାବଶ୍ୟକ ସିଜରିଆନ୍ ପ୍ରସବ ଉପରେ ଅଡିଟ୍: ବେସରକାରୀ କ୍ଲିନିକ୍ ଗୁଡ଼ିକରେ ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉଥିବା ଅତ୍ୟଧିକ ସିଜରିଆନ୍ ଅପରେସନର ନିୟମିତ ସରକାରୀ ମେଡିକାଲ ଅଡିଟ୍ କରାଯାଉ।
ସାଂସଦ ଡଃ ପାଣିଗ୍ରାହୀ ଆଶା ପ୍ରକଟ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରି ଏକ ସୁସ୍ଥ ଓ 'ବିକଶିତ ଓଡ଼ିଶା' ଗଠନ ଦିଗରେ ଦୃଢ଼ ପଦକ୍ଷେପ ନେବେ । ଏହି ଚିଠିର ନକଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି ।

0
0
0
s2sdefault