କେନ୍ଦୁଝର,ତା୧୬/୬- ଜାତୀୟ ସ୍ତର ପାଇଁ ଚୟନ ହୋଇଥିବା ୧୯୧ଟି ବିଦ୍ୟାଳୟ ମଧ୍ୟରୁ ଓଡ଼ିଶାର କେବଳ ୧୦ଟି ବିଦ୍ୟାଳୟ (ମୟୂରଭଞ୍ଜ,ନୟାଗଡ଼, ଜଗତସିଂହପୁର,କେନ୍ଦ୍ରାପଡ଼ା, କେନ୍ଦୁଝର,ଖୋର୍ଦ୍ଧା,ସୋନପୁର, କନ୍ଧମାଳ,ସମ୍ବଲପୁର ଏବଂ ଗଜପତି ଜିଲ୍ଲାରୁ) ଚୟନ ହୋଇଥିବା ବେଳେ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଫୁଲକଅଁଳେଇ ନୋଡାଲ ହାଇସ୍କୁଲ “ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର”ରେ ୯୫.୨% ନମ୍ବର ହାସଲ କରି ଓଡ଼ିଶାରେ ୫ମ ସ୍ଥାନ ଏବଂ ସମଗ୍ର ଭାରତରେ ୧୦ମ ସ୍ଥାନ ଅଧିକାର କରିଛି।ଏହି ପୁରସ୍କାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ପ୍ରଦାନ କରାଯାଏ।ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା ଏବଂ ମନୋବଳ ବୃଦ୍ଧିକାରୀ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମତବ୍ୟକ୍ତ କରିଛନ୍ତି।
କେନ୍ଦୁଝର ଶିକ୍ଷା ପରିବାର,ଭବିଷ୍ୟତରେ ଆହୁରି ଅଧିକ ଗୌରବ ଆଣିବା ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ।ବିଶେଷକରି ସିଆରସିସି,ପ୍ରଧାନ ଶିକ୍ଷକ,ଶିକ୍ଷକ ସଂଗଠନ,ବ୍ଲକ୍ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୂଲ୍ୟବାନ ପରାମର୍ଶ ଓ ମାର୍ଗଦର୍ଶନ ଆମକୁ ନିରନ୍ତର ମିଳୁଥାଉ ତଦ ସହିତ ପରସ୍ପରଠାରୁ ଶିଖିବା,ଏକାଠି ଆଗକୁ ବଢ଼ିବା ଏବଂ କେନ୍ଦୁଝର ଶିକ୍ଷା ଜିଲ୍ଲାକୁ ଏକ ଆଦର୍ଶ ଓ ପ୍ରେରଣାଦାୟକ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଆହ୍ୱାନ କରିଛନ୍ତି।ଏହାର ସମସ୍ତ ଶ୍ରେୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୀବନ କିଶୋର ମହାନ୍ତ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଛି।







