ଝାରସୁଗୁଡ଼ା :ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ସଡ଼କ ଝାରସୁଗୁଡ଼ା-ଧୁତରା ରାସ୍ତା ଏବେ ଚରମ ଅବ୍ୟବସ୍ଥା ଓ ଅବହେଳାର ଶିକାର ହୋଇପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ, ଏସପି ଅଫିସ, ବିଭିନ୍ନ ବ୍ୟାଙ୍କ ଓ ପ୍ରମୁଖ ସରକାରୀ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ଏହି ରାସ୍ତାର ଦୁର୍ଦ୍ଦଶା ଏବେ ସାଧାରଣ ଲୋକଙ୍କ ପାଇଁ ଦୈନନ୍ଦିନ ଯନ୍ତ୍ରଣାର କାରଣ ପାଲଟିଛି। ତଥାପି ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗର ନୀରବତାକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବଢ଼ୁଛି।
ଦକ୍ଷିଣପୂର୍ବ ରେଳପଥର ଚତୁର୍ଥ ରେଳଲାଇନ୍ ନିର୍ମାଣ କାର୍ଯ୍ୟ ସହିତ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନର ଶତାଧିକ ଭାରୀ ଟିପର, ହାଇୱା, ସିମେଣ୍ଟ ବୋଝେଇ ଗାଡ଼ି ଏବଂ ଆଇଓସିଏଲ୍ ଟ୍ୟାଙ୍କର ଦିନରାତି ଏହି ରାସ୍ତାରେ ଚଳାଚଳ କରୁଛି। ଫଳରେ ସମ୍ପୂର୍ଣ୍ଣ ରାସ୍ତା ବଡ଼ ବଡ଼ ଖାଲଖମାରେ ପରିଣତ ହୋଇଥିବାବେଳେ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ରାସ୍ତାର ଅବସ୍ଥା ଏପରି ଯେ, ଗାଡ଼ି ଚଳାଇବା ତ ଦୂରର କଥା, ପାଦଚାରୀଙ୍କ ପାଇଁ ମଧ୍ୟ ଏହା ମୃତ୍ୟୁଫାନ୍ଦ ସଦୃଶ ହୋଇଯାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ରାସ୍ତାର ଏଭଳି ଶୋଚନୀୟ ସ୍ଥିତି ବିଷୟରେ ବାରମ୍ବାର ପ୍ରଶାସନ ଓ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କେବଳ ଆଶ୍ୱାସନ ଛଡ଼ା ଆଉ କିଛି ମିଳିନାହିଁ। ପ୍ରଶ୍ନ ଉଠୁଛି, ଜିଲ୍ଲାର ଏତେ ଗୁରୁତ୍ୱପୂର୍ଣ୍ଣ ସଡ଼କର ଦୁର୍ଦ୍ଦଶା ଯଦି ମାସ ମାସ ଧରି ଜାରି ରହେ, ତେବେ ଦାୟୀ ବିଭାଗ କଣ କରୁଛି? ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ପରେ ହିଁ କି ପ୍ରଶାସନର ନିଦ ଭାଙ୍ଗିବ?
ଏହି ରାସ୍ତା ଉପରେ ଧୁତରା, ଅର୍ଡ଼ା, ସାରସମାଲ ସମେତ ଅନେକ ଗ୍ରାମର ହଜାର ହଜାର ଲୋକ ନିର୍ଭର କରୁଥିବାବେଳେ ରାସ୍ତାର ଅବସ୍ଥା ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଯାତ୍ରୀବାହୀ ବସ, ସ୍କୁଲ ଛାତ୍ରଛାତ୍ରୀ, ରୋଗୀବାହୀ ଆମ୍ବୁଲାନ୍ସ ଏବଂ ସାଧାରଣ ଯାତ୍ରୀ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟାତ କରୁଛନ୍ତି।
ଅର୍ଡ଼ା ସରପଞ୍ଚ ବୀଣାପାଣି ପୋଢ଼, ଗୋପାଳ କଲାର, ଦୁଃଖବନ୍ଧୁ ବାଘ, ମହେନ୍ଦ୍ର ବେହେରା, ସନ୍ତୋଷ ବାଘଙ୍କ ସମେତ ଅଞ୍ଚଳବାସୀ ତୁରନ୍ତ ସ୍ଥାୟୀ ଭାବେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଦୃଢ଼ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଏହି ସମସ୍ୟା ନେଇ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ୱରେ ଥିବା ଡି.କେ. ମେହେରଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତେଣୁ ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି—ରାସ୍ତାର ଏହି ଦୁର୍ଦ୍ଦଶା ପାଇଁ ଶେଷରେ ଦାୟୀ କିଏ?







