ଝାରସୁଗୁଡ଼ା: ଡିଜିଟାଲ ଯୁଗରେ ଯୋଗାଯୋଗ ବ୍ୟବସ୍ଥା ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକତା ପାଲଟିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୀମାନ୍ତବର୍ତ୍ତୀ ଟେଙ୍ଗେନାମାଲ ଗାଁର ଲୋକେ ଏବେ ମଧ୍ୟ ଦୁର୍ବଳ ମୋବାଇଲ ନେଟୱର୍କ ସମସ୍ୟାରେ ଜର୍ଜରିତ। ଗାଁରେ ମୋବାଇଲ ଟାୱାର ସ୍ଥାପନ ପାଇଁ ସରକାରୀ ସ୍ତରରେ ସର୍ଭେ ଓ ରିପୋର୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।
ସୂଚନା ଅନୁସାରେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁପାରିସକ୍ରମେ ଟେଙ୍ଗେନାମାଲ ଗାଁରେ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ୨୦୨୪ ମସିହା ଜୁଲାଇ ୧୦ ତାରିଖରେ ଟେଲିକମ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ଦୁଇ ଦିନ ପରେ ସର୍ଭେ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ଏହି ରିପୋର୍ଟରେ ଟେଙ୍ଗେନାମାଲ ସମେତ ଆଖପାଖର ପ୍ରାୟ ୧୨ଟି ଗାଁକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ ସେବା ମିଳିବ ବୋଲି ଉଲ୍ଲେଖ ରହିଥିଲା।
ତେବେ ସର୍ଭେ ରିପୋର୍ଟ ସମ୍ବଲପୁରସ୍ଥିତ ଏଜିଏମ କାର୍ଯ୍ୟାଳୟକୁ ପଠାଯିବା ପରେ ପ୍ରକଳ୍ପର ଅଗ୍ରଗତି ଠପ୍ ହୋଇଯାଇଥିବା ଅଭିଯୋଗ ହେଉଛି। ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଟାୱାର ସ୍ଥାପନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନାହିଁ।
ନେଟୱର୍କ ସମସ୍ୟା ଯୋଗୁଁ ଅଞ୍ଚଳର ଛାତ୍ରଛାତ୍ରୀମାନେ ଅନଲାଇନ ଶିକ୍ଷା ଓ ବିଭିନ୍ନ ଡିଜିଟାଲ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଜରୁରୀ ସମୟରେ ଫୋନ୍ ଯୋଗାଯୋଗ ପାଇଁ ଗ୍ରାମବାସୀଙ୍କୁ ଉଚ୍ଚ ସ୍ଥାନ କିମ୍ବା ଅନ୍ୟ ଅଞ୍ଚଳକୁ ଯିବାକୁ ପଡ଼ୁଛି। ଏହା ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରୁଛି।
ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡ଼ତିଆଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଟାୱାର ସ୍ଥାପନ ପାଇଁ ହୋଇଥିବା ସର୍ଭେ କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ବର୍ତ୍ତମାନ ଟେଙ୍ଗେନାମାଲ ଓ ପ୍ରଭାବିତ ୧୨ଟି ଗାଁର ଲୋକଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଠୁଛି— ସର୍ଭେ ରିପୋର୍ଟ ପ୍ରସ୍ତୁତ ହେବା ପରେ ମଧ୍ୟ ଟାୱାର ସ୍ଥାପନ କାର୍ଯ୍ୟ କେବେ ଆରମ୍ଭ ହେବ? ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରି ଅଞ୍ଚଳବାସୀଙ୍କୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇବାକୁ ସେମାନେ ଦାବି କରିଛନ୍ତି।







