ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ତଥା ବରଗଡ଼ ଜିଲ୍ଲାର ନୋଡାଲ ଅଫିସର ଶ୍ରୀମତୀ ଜୟଶ୍ରୀ ମଲ୍ଲିକ, ବରଗଡ଼ ଜିଲ୍ଲାର ରାଜବୋଡାସମ୍ବର୍ ବ୍ଲକ ଗସ୍ତ କରି ସରକାରଙ୍କ ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।
ଏହି ଗସ୍ତ ସମୟରେ ଶ୍ରୀମତୀ ମଲ୍ଲିକ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବା ସହ ସ୍ଥାନୀୟ ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ଫ୍ଲାଗସିପ୍ କାର୍ଯ୍ୟକ୍ରମଗୁଡ଼ିକ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ସଠିକ୍ ଭାବେ ସମ୍ପାଦିତ ହେବ, ସେ ସମ୍ପର୍କରେ ସେ ସ୍ଥାନୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।
ପରିଦର୍ଶନ ସମୟରେ ଶ୍ରୀମତୀ ମଲ୍ଲିକ, ବରିକେଲ ଓ ଭେଉଁରିଆ ଅଞ୍ଚଳର OLM ସେକ୍ଟର ର ବିଭିନ୍ନ ଗ୍ରାମୀଣ ଭିତ୍ତିଭୂମି ବିକାଶ ପ୍ରକଲ୍ପ ସହ ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ଏବଂ ବ୍ରେଡ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିଥିଲେ। ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟର ମଧ୍ୟ ଯାଞ୍ଚ କରିଥିଲେ। ସେ ଏହି ଅଞ୍ଚଳର ପ୍ରଗତି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ଏହି ଗସ୍ତ ସମୟରେ ରାଜବୋଡାସମ୍ବର୍ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର୍ ଦେବତା, ତଥା ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।







