ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖରରେ ଚାଲିଥିବା ନବଦିନ ବ୍ୟାପୀ ମହେନ୍ଦ୍ର ମେଳା ଏବଂ ବିଶ୍ୱଶାନ୍ତି ନବକୁଣ୍ଡିୟ ହରି ହରାତ୍ମକ ମହାଯଜ୍ଞ ମହା ସମାରୋହରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।
ଏହି ମହେନ୍ଦ୍ର ମେଳା ଅବସରରେ ମହେନ୍ଦ୍ରଗିରି ଶିଖରରେ ପ୍ରତିଦିନ ଘୃତଯଜ୍ଞ , ନାମଯଜ୍ଞ , ଜ୍ଞାନଯଜ୍ଞ , ଜପଯଜ୍ଞ , ଅନ୍ନଯଜ୍ଞ , ସୂର୍ଯ୍ୟପୂଜା ପ୍ରଭୃତି ସମେତ ସେଠାରେ ଚତୁର୍ବେଦ ଓ ଦେବୀ ଭାଗବତ , ଚଣ୍ଡୀ ପାଠ , ରାମଚରିତ ମାନସ ପାରାୟଣ , ସାଧୁସନ୍ଥ ମାନଙ୍କ ଦ୍ଵାରା ଜପ ଓ ପ୍ରବଚନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗଜପତି ଜିଲ୍ଲା ସମେତ ଓଡ଼ିଶା ଓ ଭାରତର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ସଂଖ୍ୟାରେ ସାଧୁସନ୍ଥ ମାନେ ଆସି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ଥିଲେ।
ମହେନ୍ଦ୍ର ମେଳା ଓ ସେଠାକାର ବିଭିନ୍ନ ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଓ ଐତିହ୍ୟ ସମ୍ପନ୍ନ ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହେବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ବହୁ ସଂଖ୍ୟାରେ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା ।
ଏହି ଅବସରରେ ପଣ୍ଡିତ ଅଶୋକ ପାଢ଼ୀ ଏବଂ ମହେନ୍ଦ୍ର ମେଳା କମିଟି ଅଧ୍ୟକ୍ଷ ଶ୍ରୀ ଜୁରୀୟା ଜାନୀ କହିଥିଲେ ଯେ , ସପ୍ତ କୁଳାଚଳ ମଧ୍ୟରେ ପବିତ୍ର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଅନ୍ୟତମ । ଏହି ମହେନ୍ଦ୍ରଗିରି ର ଐତିହ୍ୟ ଓ କିମ୍ବଦନ୍ତୀ ରହିଛି ଯେ , ଏଠାରେ ପଞ୍ଚୁପାଣ୍ଡବ ଙ୍କ ଉପସ୍ଥିତି ଓ ରାମାୟଣ ସର୍କିଟ ସମେତ ପର୍ଶୁରାମ ତପୋ ସ୍ଥଳୀ ରହିଛି। ହଜାର ହଜାର ବର୍ଷ ପୂର୍ବେ ଏଠାରେ ଦେବତା ଓ ମୁନିଋଷି ମାନେ ଯଜ୍ଞ କରୁଥିଲେ। ଏଭଳି ଅନେକ ଅସଂଖ୍ୟ ଭାବେ ମାହାତ୍ମ୍ୟ ରହିଛି। ଏହି ମେଳା ଆୟୋଜନ ଓ ଅନୁଷ୍ଠିତ ଏଠାରେ ସମ୍ପୂର୍ଣ୍ଣ
ଭାବେ ସାଫଲ୍ୟ ହୋଇଛି। ଲକ୍ଷାଧିକ ଭକ୍ତ ଏହି ମହେନ୍ଦ୍ର ମେଳାକୁ ଆସି ଦର୍ଶନ କରି ଭଗବାନଙ୍କ କୃପା ଓ ଆଶୀର୍ବାଦ ନେଇ ଫେରିଛନ୍ତି ବୋଲି କହିଥିଲେ।
ରାଜ୍ୟ
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ନବଦିନ ବ୍ୟାପୀ ଅନୁଷ୍ଠିତ ମହେନ୍ଦ୍ର ମେଳା ଉଦଯାପିତ
- Hits: 21







