ହେଡଲାଇନସ୍:

ବିଦ୍ୟୁତ ବିଭ୍ରାଟ ନେଇ ବିଜେଡିର ହଲ୍ଲାବୋଲ୍, ଟିପିଡବ୍ଲୁଓଡ଼ିଏଲକୁ ଦାବିପତ୍ର ଦେଲେ ଦୀପାଳି ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ୍ ଓ ଲୋ-ଭୋଲ୍ଟେଜ୍ ସମସ୍ୟାକୁ ନେଇ ସୋମବାର ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପଳି ଦାସଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ଓ ଦଳୀୟ ନେତାମାନେ ଏକ ବିରାଟ ରାଲିରେ ସାମିଲ ହୋଇ ଟିପିଡବ୍ଲୁଓଡ଼ିଏଲ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ବେହେରାମାଲସ୍ଥିତ ଡି.ଆର.ଡି.ଏ. କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ରାଲି ଟିପିଡବ୍ଲୁଓଡ଼ିଏଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଦାବିପତ୍ରରେ ଜିଲ୍ଲାରେ ଚାଲିଥିବା ବାରମ୍ବାର ବିଦ୍ୟୁତ ବିଭ୍ରାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟାର ତୁରନ୍ତ ସମାଧାନ ସହ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଦାବି କରାଯାଇଛି।

ଦୀପାଳି ଦାସ କହିଛନ୍ତି ଯେ, ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରୁଥିବା ବେଳେ ନିରନ୍ତର ବିଦ୍ୟୁତ କାଟ୍ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ବିଶେଷକରି ଶିଶୁ, ବୃଦ୍ଧବୃଦ୍ଧା ଓ ଅସୁସ୍ଥ ବ୍ୟକ୍ତିମାନେ ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଛି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବ ବିଜେଡି ସରକାର ସମୟରେ ଲୋ-ଭୋଲ୍ଟେଜ୍ ସମସ୍ୟା ସମାଧାନ ଓ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଥିଲା। ଏହି ପାଣ୍ଠିର ସଠିକ୍ ବ୍ୟବହାର କରି ଟିପିଡବ୍ଲୁଓଡ଼ିଏଲ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ସେ ଦାବି କରିଛନ୍ତି। ନିୟମିତ ବିଦ୍ୟୁତ ବିଲ୍ ପୈଠ କରୁଥିବା ଉପଭୋକ୍ତାଙ୍କୁ ନିକୃଷ୍ଟ ସେବା ମିଳିବା ଦୁଃଖଦ ଓ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଏହା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଗରିବ ପରିବାରଙ୍କ କିଛି ବକେୟା ବିଦ୍ୟୁତ ବିଲ୍ ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ କମ୍ପାନୀକୁ ଅନୁରୋଧ କରାଯାଇଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଜୟନ୍ତୀ ବାହୁକ, ପିଣ୍ଟୁ ପାଢ଼ୀ, ରଘୁମଣି ପଟେଲ, ରବି ସିଂ, ତାପସ ରାୟ ଚୌଧୁରୀ, ଅଶୋକ ଦାସ, ଆଲୋକ ତ୍ରିପାଠୀ, ପୱନ ସିଂ ଯାଦବ, ସନ୍ଦୀପ ଅବସ୍ତି, ଶଶୀଭୂଷଣ ତିୱାରୀ, ଦାମୋଦର ନାଥ, ଜଗନ୍ନାଥ ଜେନା, ରୁବିନ ପାଣ୍ଡେ, ଗୋପାଳ ପଟ୍ଟନାୟକ, ନଭନୀତ କୌର, ନାଗେଶ୍ୱରୀ ବୋନେଲା, ରୋଜାଲିନ ପଟେଲ ଓ ପବନ ଶର୍ମାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇଥିଲେ।

0
0
0
s2sdefault