ଝାରସୁଗୁଡ଼ା : ଲଖନପୁର ବ୍ଲକରେ ମିଳିତ ଜନଶୁଣାଣି ଶିବିର ସମାପ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଲଖନପୁର ବିଡ଼ିଓ ବିନୟ କୁମାର ପଟେଲ ପ୍ରମୁଖ ସ୍ଥାନୀୟ ଅଞ୍ଚଳ ଗସ୍ତ କରି ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ କନକତୋରା ଗ୍ରାମପଞ୍ଚାୟତର ଝାରଗାଁ ଗ୍ରାମ ଦେଇ ଯାଇଥିବା ଦୟାଡେରା ଠାରୁ ପ୍ରସିଦ୍ଧ 'ଝରନ' ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ବିସ୍ତାରିତ ରାସ୍ତାର ନିର୍ମାଣ ସ୍ଥିତି ଅନୁଧ୍ୟାନ କରିଥିଲେ। ପର୍ଯ୍ୟଟକଙ୍କ ଗମନାଗମନ ସୁବିଧା ପାଇଁ ଏହି ରାସ୍ତାର ଗୁଣବତ୍ତା ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପରେ ଜିଲ୍ଲାପାଳ ଓ ବିଡ଼ିଓ କନକତୋରା ଠାରେ ନିର୍ମାଣଧୀନ ରାଜସ୍ୱ ଡାକବଙ୍ଗଳା କାର୍ଯ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଡାକବଙ୍ଗଳା ନିର୍ମାଣ ପାଇଁ ଆହୂତ ଟେଣ୍ଡର ପ୍ରକ୍ରିୟାର ଅଗ୍ରଗତି ଏବଂ ବୈଷୟିକ ଦିଗ ଉପରେ ପଚାରି ବୁଝିଥିଲେ। ଏହି ପ୍ରକ୍ରିୟାକୁ ଶୀଘ୍ର ଶେଷ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ କହିଛନ୍ତି।
ଏହି ଗସ୍ତକ୍ରମରେ ଜିଲ୍ଲାପାଳ କନକତୋରା ସ୍ଥିତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ଏହି କେନ୍ଦ୍ରର ପ୍ରସ୍ତୁତି ଏବଂ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବାକୁ ସେ ବିଡ଼ିଓ ଶ୍ରୀ ପଟେଲଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଶାସନର ଏହି କ୍ଷେତ୍ର ପରିଦର୍ଶନ ସମୟରେ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।







