ହେଡଲାଇନସ୍:

ଭୁବନେଶ୍ୱରରେ ୨ୟ ଅଲ୍ ଇଣ୍ଡିଆ JKA କରାଟେ ଚାମ୍ପିଅନସିପ୍–୨୦୨୬ ଓ JKAWF INDIA ବାର୍ଷିକ ସମର କ୍ୟାମ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨ ଜୁନ: ଓଡ଼ିଶା ପୁଣିଥରେ ଏକ ବୃହତ୍ ଜାତୀୟ କ୍ରୀଡ଼ା ଆୟୋଜନର ସାକ୍ଷୀ ହେବାକୁ ଯାଉଛି। ଆସନ୍ତା ଜୁନ ୫ରୁ ୭ ତାରିଖ, ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ JKAWF INDIA ବାର୍ଷିକ ସମର କରାଟେ କ୍ୟାମ୍ପ–୨୦୨୬ ଏବଂ ୨ୟ ଅଲ୍ ଇଣ୍ଡିଆ JKA କରାଟେ ଚାମ୍ପିଅନସିପ୍–୨୦୨୬ ଆୟୋଜିତ ହେବ। ଦେଶର ୧୩ଟି ରାଜ୍ୟର ୩୬ଟି JKA ଶାଖାରୁ ପ୍ରାୟ ୬୦୦ କରାଟେ ପ୍ରତିଯୋଗୀ, ପ୍ରଶିକ୍ଷକ, ରେଫରି ଓ ଅଧିକାରୀମାନେ ଏଥିରେ ଯୋଗଦେବେ।
ଏହି ଆୟୋଜନର ଅଧ୍ୟକ୍ଷ ଭାବେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଦାୟିତ୍ୱ ନିଭାଉଥିବାବେଳେ, UCCIର ପୂର୍ବତନ ସଭାପତି ବ୍ରହ୍ମାନନ୍ଦ ମିଶ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ADG) ସଞ୍ଜୀବ ପଣ୍ଡା, IPS ଏହି କାର୍ଯ୍ୟକ୍ରମର ସଭାପତି ଭାବେ ଦାୟିତ୍ୱ ନିଭାଉଛନ୍ତି।
ଜୁନ ୫ ତାରିଖରେ ଆରମ୍ଭ ହେବାକୁ ଥିବା ସମର କରାଟେ କ୍ୟାମ୍ପରେ ଜାପାନ କରାଟେ ଆସୋସିଏସନ (JKA) ମୁଖ୍ୟାଳୟର ୭ମ ଡାନ୍ ବ୍ଲାକ୍ ବେଲ୍ଟ ଏବଂ JKA ଜାତୀୟ ଦଳର କୋଚ୍ ସାତୋଶି ତାକାହାଶି ଶିହାନ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରିବେ। ତାଙ୍କ ଉପସ୍ଥିତି ଭାରତୀୟ କରାଟେକାମାନଙ୍କ ପାଇଁ ଏକ ବିରଳ ଶିକ୍ଷଣୀୟ ସୁଯୋଗ ସୃଷ୍ଟି କରିବ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛନ୍ତି ଭାରତରେ JKA କରାଟେର ଅନ୍ୟତମ ପ୍ରତିଷ୍ଠାତା ଏବଂ ପୂର୍ବତନ ୱାର୍ଲ୍ଡ ବ୍ୟାଙ୍କ ଅଧିକାରୀ ଅନିଲ ସିହ୍ନା ସେନସେଇ। ସେ ଯୁବ କରାଟେକାମାନଙ୍କୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିବେ।
ଜୁନ ୬ ଓ ୭ ତାରିଖରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନସିପ୍‌ରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହେବ। ପ୍ରତିଯୋଗିତାର ମାଷ୍ଟର ଚିଫ୍ ଜଜ୍ ଭାବେ ସାତୋଶି ତାକାହାଶି ଶିହାନ ଏବଂ ଭାଇସ୍ ଚିଫ୍ ଜଜ୍ ଭାବେ ସୋମନାଥ ପାଲଚୌଧୁରୀ ଦାୟିତ୍ୱ ନିଭାଇବେ। ପ୍ରାୟ ୫୦୦ ଅଭିଭାବକ ଓ ଦର୍ଶକ ଏହି ଜାତୀୟ କରାଟେ ମହାକୁମ୍ଭର ସାକ୍ଷୀ ହେବେ।
JKAWF India Odishaର ସଭାପତି ଅନିଲ କୁମାର ସିଂହ ଏବଂ ସାଧାରଣ ସମ୍ପାଦକ ଧର୍ମାଂଶୁ ପାଣ୍ଡେଙ୍କ ନେତୃତ୍ୱରେ ଏହି ଆୟୋଜନ ହେଉଛି। କରାଟେ ମାଧ୍ୟମରେ ଶୃଙ୍ଖଳା, ଏକତା, କ୍ରୀଡ଼ା ମନୋଭାବ ଓ ଚରିତ୍ର ଗଠନକୁ ପ୍ରୋତ୍ସାହିତ କରିବା ସହ ଆଗାମୀ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରତିଭାବାନ କରାଟେକାମାନଙ୍କୁ ଚିହ୍ନଟ କରିବା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକମାନେ କହିଛନ୍ତି।

0
0
0
s2sdefault