ହେଡଲାଇନସ୍:

ମକା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏମ.ଏସ.ପି କାହା ସ୍ୱାର୍ଥରେ - ପ୍ରଶ୍ନ ଉଠାଇଲା କଂଗ୍ରେସ


ଭୁବନେଶ୍ୱର : ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ ଅଧିକ ମକା ଉତ୍ପାଦନ ହୋଇଥାଏ । ଏଠାର ଚାଷୀମାନେ ଧାନ ଅପେକ୍ଷା ବିଶେଷ କରି ମକା ଚାଷ ପ୍ରତି ଆଗ୍ରହୀ । ଜିଲ୍ଲାରେ ଦୁଇଟି ଋତୁରେ ପ୍ରାୟ ୫ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ମକା ଉତ୍ପାଦନ ହୁଏ । ସରକାରୀ ସ୍ତରରେ ମକାର ନିର୍ଦ୍ଧାରିତ ଏମ.ଏସ.ପି. କ୍ୱିଣ୍ଟାଲ ପ୍ରତି ୨୬୦୦ ଟଙ୍କା । ଚାଷୀ ବହୁଶ୍ରମ, ଅର୍ଥ ବିନିଯୋଗ କରି ମକା ଅମଳ କରିବା ପରେ ଅଭାବୀ ବିକ୍ରିର ଶିକାର ହୋଇ ଏହି ମକାକୁ କ୍ୱିଣ୍ଟାଲ ପ୍ରତି ୧୭ ରୁ ୧୮ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମକା ମଣ୍ଡିର ବ୍ୟବସ୍ଥା ନାହିଁ । କିମ୍ବା ସରକାର ଓ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଏପରି ଦୂରାବସ୍ଥାର ସୁସମାଧାନ ପାଇଁ କୌଣସି ଦୀର୍ଘସ୍ଥାୟୀ ସମାଧାନ କରାଯାଇ ନାହିଁ । କୋଷାଗୁମୁଡ଼ାଠାରେ ମକା ପ୍ରୋସେସିଂ ପାଇଁ ଏକ ଘରୋଇ ପ୍ରକଳ୍ପ ଥିବା ବେଳେ ବାହାରକୁ ଅନେକ ସମୟରେ ରପ୍ତାନୀର ବ୍ୟବସ୍ଥା କରା ନ ଯାଇ ପାରୁଥିବା ହେତୁ ଅନେକ ସମୟରେ ଚାଷୀ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଫଳରେ ଚାଷୀ ଗୁରୁତର ଶୋଷଣର ଶିକାର ହେବା ସହ ବେପାରୀ ଓ ମଧ୍ୟସ୍ଥମାନେ ଢେର ଲାଭ ଉଠାଉଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ବ୍ୟବସ୍ଥିତ ଢଙ୍ଗରେ ମଣ୍ଡି ବ୍ୟବସ୍ଥା ଥିବା ଏବଂ ନିର୍ଦ୍ଧାରିତ ଏମ.ଏସ.ପି.ରେ ମକା କ୍ରୟ କରାଯିବା କଥା ଘୋଷଣା କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ଅବସ୍ଥା କହିଲେ ନ ସରେ । ସରକାରଙ୍କ ଘୋଷଣାରେ କୌଣସି ବାସ୍ତବତା ନାହିଁ । ଚାଷୀ ବାରମ୍ବାର ଏହି ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ସରକାର ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା । ଚାଷୀଙ୍କ ଏପରି ବାରମ୍ବାର ଅଭିଯୋଗ ଜାଣିବା ପରେ ନିକଟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଏକ ପ୍ରତିନିଧିମଣ୍ଡଳରେ ନବରଙ୍ଗପୁର ଜିଲ୍ଲାକୁ ଗସ୍ତକରି ବିଭିନ୍ନ ଅଞ୍ଚଳର ମକାଚାଷୀ, ଜିଲ୍ଲାପାଳ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ଉଭୟ ଡବଲ ଇଞ୍ଜିନ୍ ବିଜେପି ସରକାର ଦାୟୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ଅଞ୍ଚଳରେ ସଶକ୍ତ ମଣ୍ଡି ନିର୍ମାଣ ଓ ଚାଷୀଙ୍କଠାରୁ ନିର୍ଦ୍ଧାରିତ ଏମ.ଏସ.ପି.ରେ ମକା କିଣିବାକୁ ଦାବୀ କରିବା ସହ ନବରଙ୍ଗପୁରଠାରେ ଏକ ବୃହତ୍ତ ମକା ପ୍ରସ୍ତୁତି ଓ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ, ମକା ରପ୍ତାନୀ କେନ୍ଦ୍ର ସ୍ଥାପନ ଓ ଇଥାନଲ ପ୍ଳାଣ୍ଟ ସ୍ଥାପନ ପାଇଁ ଦଳ ତରଫରୁ ଦୃଢ଼ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ସମବାୟ ପ୍ରକୋଷ୍ଠର ସଂଯୋଜକ ଡ. ସନରାଜ ଗଣ୍ଡ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଲିପିକା ମାଝୀ, ବୃନ୍ଦାବନ ତ୍ରିପାଠୀ ଏବଂ ପିସିସି ସମବାୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ବୃନ୍ଦାବନ ଖଟେଇ ପ୍ରମୁଖ ଚାଷୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

0
0
0
s2sdefault