ବ୍ୟାଙ୍କ ପରିବର୍ତ୍ତେ ପଞ୍ଚାୟତ ମାଧ୍ୟମରେ ଭତ୍ତା ପ୍ରଦାନ ଦାବି
ଓଡ଼ଗାଁ, ୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ ଭତ୍ତା ପାଉଥିବା ହିତାଧିକାରୀମାନେ ଗତ ଦୁଇ ମାସ ଧରି ଭତ୍ତା ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବାର୍ଦ୍ଧକ୍ୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଭିନ୍ନକ୍ଷମ ଭତ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ଏହି ଟଙ୍କାରେ ନିଜର ଦୈନନ୍ଦିନ ଖର୍ଚ୍ଚ, ଔଷଧ କ୍ରୟ ଓ ପରିବାର ପାଳନ କରୁଥିବାରୁ ଭତ୍ତା ବନ୍ଦ ହେବା ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।
ହିତାଧିକାରୀମାନଙ୍କ କହିବା ଅନୁସାରେ, ଗତ ଅପ୍ରେଲ ଓ ଚଳିତ ମେ ମାସର ଭତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଫଳରେ ଅନେକ ବୃଦ୍ଧ ଓ ଅସହାୟ ଲୋକ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। କେହି ଔଷଧ କିଣିପାରୁନାହାନ୍ତି, ତ ଅନ୍ୟମାନେ ଦୈନନ୍ଦିନ ଖର୍ଚ୍ଚ ଚଳାଇବାରେ ଅସୁବିଧାରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସିଧାସଳଖ ଲାଭ ସ୍ଥାନାନ୍ତର (ଡିବିଟି) ପ୍ରକ୍ରିୟାରେ ସଂଶୋଧନ କରାଯାଇଥିବାରୁ ମେ ମାସରେ ଏକାସାଥିରେ ଦୁଇ ମାସର ଭତ୍ତା ମିଳିବ ବୋଲି ଗତ ୨୮ ଅପ୍ରେଲରେ ସୂଚନା ଦିଆଯାଇଥିଲା। କିନ୍ତୁ ମେ ମାସ ଶେଷ ହେବାକୁ ବସିଥିବା ବେଳେ ଅଧିକାଂଶ ହିତାଧିକାରୀ ଟଙ୍କା ପାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ, ବୃଦ୍ଧ ଓ ପକ୍ଷାଘାତ ପୀଡ଼ିତ ଭିନ୍ନକ୍ଷମ ମାନଙ୍କର ଆଙ୍ଗୁଠି ଚିହ୍ନ ଠିକ୍ ଭାବେ ନଆସିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇବାରେ ମଧ୍ୟ ସମସ୍ୟା ଦେଖା ଦେଉଛି। ଫଳରେ ଅନେକଙ୍କ ଭତ୍ତା ଟଙ୍କା ବ୍ୟାଙ୍କରେ ପଡ଼ି ରହୁଛି। ଏହି ପରିସ୍ଥିତିରେ ବ୍ୟାଙ୍କ ପରିବର୍ତ୍ତେ ପୂର୍ବବତ୍ ପଞ୍ଚାୟତ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉ ବୋଲି ହିତାଧିକାରୀମାନେ ଦାବି କରିଛନ୍ତି। ଏହି ସମସ୍ୟା କେବଳ ଓଡ଼ଗାଁ କିମ୍ବା ନୟାଗଡ଼ ଜିଲ୍ଲାରେ ସୀମିତ ନୁହେଁ, ବରଂ ସମଗ୍ର ରାଜ୍ୟରେ ଏଭଳି ଅଭିଯୋଗ ଆସୁଥିବା ଦେଖାଯାଇଛି। ତେଣୁ ସରକାର ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ ଭତ୍ତା ବ୍ୟବସ୍ଥାକୁ ସରଳ ଓ ସୁବିଧାଜନକ କରିବାକୁ ସାଧାରଣରେ ଦାବି ଜୋର ଧରିଛି।







