ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ
ବରପାଲି, ୨୭/୦୫ : ବରଗଡ଼ ଜିଲ୍ଲା ବରପାଲି ନଗର ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟିର ଏକ ବୃହତ୍ ମିଶ୍ରଣ ପର୍ବ ଆଜି ବୁଧବାର ସ୍ଥାନୀୟ ଆଶୀର୍ବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ନେଇ ସମଗ୍ର ବରପାଲି ଅଞ୍ଚଳରେ ରାଜନୈତିକ ଉତ୍ସାହ ଦେଖିବାକୁ ମିଳିଥିଲା। ବିଜେଡି ଓ କଂଗ୍ରେସର ଅନେକ କର୍ମୀ ଏହି ଅବସରରେ ବିଜେପିରେ ଯୋଗଦେଇଥିବାରୁ କାର୍ଯ୍ୟକ୍ରମଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ବରପାଲି ଗାନ୍ଧୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ବିରାଟ ଶୋଭାଯାତ୍ରା ଗାନ୍ଧୀ ଛକରୁ ଆଶୀର୍ବାଦ ମଣ୍ଡପ ପର୍ଯ୍ୟନ୍ତ ବାହାରିଥିଲା।ଶୋଭାଯାତ୍ରାରେ ଶତାଧିକ କର୍ମୀ ଓ ସମର୍ଥକମାନେ ଯୋଗଦେଇ ଦଳୀୟ ସ୍ଲୋଗାନ ଦେଇଥିଲେ। ରାସ୍ତାଘାଟରେ ବିଜେପି ପତାକା ଓ ବ୍ୟାନରରେ ପୂରା ପରିବେଶ ରାଜନୈତିକ ମୟ ହୋଇଯାଇଥିଲା।ଆଶୀର୍ବାଦ ମଣ୍ଡପରେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବିଜେପି ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ, ସତଲମା ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ, ଆଗଲପୁର ମଣ୍ଡଳ ସଭାପତି ପ୍ରଦୀପ ପଧାନ ଓ ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମହେଶ ଦେବତା ପରିଚାଳନା କରିଥିଲେ।ସଭାରେ ଉଦ୍ବୋଧନ ଦେଇ ନେତାମାନେ କହିଥିଲେ ଯେ, ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ସାଧାରଣ ଲୋକଙ୍କ ବିଶ୍ୱାସ ଜିତିପାରିଛି। ଲୋକଙ୍କ ସେବା ଓ ଉନ୍ନତିମୂଳକ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀମାନେ ବିଜେପିରେ ସାମିଲ ହେଉଛନ୍ତି ବୋଲି ସେମାନେ କହିଥିଲେ।ଏହାପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଟାଶଙ୍କର ଗୁପ୍ତା, ଦେବତୋଷ ନାଏକ, ବଳାରାମ ହୋତା, ସଂଗୀତା ଦୀପ, ମହମ୍ମଦ ସବୀରଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଓ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ନୂତନ ଯୋଗଦାନକାରୀମାନଙ୍କୁ ବିଜେପିର ଗାମୁଛା ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।
ଏହି ଅବସରରେ ବିଧାୟକ ସନତ କୁମାର ଗଡ଼ତୀୟା କହିଥିଲେ ଯେ, ଦେଶରେ ମୋଦି ସରକାର ଓ ରାଜ୍ୟରେ ମୋହନ ମାଝୀଙ୍କ ସରକାରଙ୍କ ହାତକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତ ନୂତନ କର୍ମୀ ଓ ନେତାମାନେ ଏକତାର ସହ କାମ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ଆଗାମୀ ଦିନରେ ବରପାଲି ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ଶକ୍ତିଶାଳୀ କରାଯିବ।କାର୍ଯ୍ୟକ୍ରମ ଶେଷରେ ଯୋଗଦାନକାରୀ ନୂତନ କର୍ମୀମାନେ ବିଜେପିର ନୀତି ଓ ଆଦର୍ଶକୁ ଗାଁଗାଁରେ ପହଞ୍ଚାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ। ବହୁ ସଂଖ୍ୟାରେ ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ସମଗ୍ର କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ସମାପ୍ତ ହୋଇଥିଲା।







