ଝାରସୁଗୁଡାରେ ନାରୀ ଅଧିକାର ଅଭିଯାନ, ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବାକୁ ଦାବି
ଝାରସୁଗୁଡା, ୨୨/୫ : ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯାତନା ଓ ସୁରକ୍ଷାହୀନତାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ସ୍ୱର ଆହୁରି ତୀବ୍ର ହୋଇଛି । ଝାରସୁଗୁଡା ମହିଳା ବିଜେଡି ତରଫରୁ ଶୁକ୍ରବାର ସହରର ତାରିଣୀ ମନ୍ଦିର ସମ୍ମୁଖ ପଡ଼ିଆରେ ଏକ ବିଶାଳ ମହିଳା ସମାବେଶ ଓ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଜେଡିର ସାଧାରଣ ସମ୍ପାଦିକା ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ ।
ସଭାରେ ଦୀପାଳୀ ଦାସ କହିଥିଲେ ଯେ, ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶ ହିଁ ରାଜ୍ୟରେ ମହିଳା ସଶକ୍ତୀକରଣର ମୂଳ ଭିତ୍ତି । ପଞ୍ଚାୟତରାଜ ଠାରୁ ସରକାରୀ ଚାକିରି ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ବିଜୁ ପଟ୍ଟନାୟକ ଇତିହାସ ରଚିଥିଲେ । ପରେ ନବୀନ ପଟ୍ଟନାୟକ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରି ମହିଳାଙ୍କ ସଶକ୍ତୀକରଣକୁ ନୂଆ ଦିଗ ଦେଇଥିଲେ ।
ସେ ଅଭିଯୋଗ କରି କହିଥିଲେ ଯେ, ୨୦୨୩ରେ ସଂସଦରେ ପାରିତ ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ବିନା ସର୍ତ୍ତରେ ସମର୍ଥନ କରିଥିଲା । କିନ୍ତୁ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ଭଳି ଆଇନଗତ ଆଳ ଦେଖାଇ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁନାହାନ୍ତି । ତେଣୁ ତୁରନ୍ତ ଏହି ବିଲ୍ ଲାଗୁ କରିବାକୁ ସେ ଦାବି କରିଥିଲେ ।
ରାଜ୍ୟରେ ବଢ଼ୁଥିବା ମହିଳା ବିରୋଧୀ ଅପରାଧ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିଥିଲେ । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳା ଯୌନ ନିର୍ଯାତନା ଘଟଣା ଚିନ୍ତାଜନକ ସ୍ତରକୁ ପହଞ୍ଚିଥିବା ସେ କହିଥିଲେ । ଢେଙ୍କାନାଳ, ହିଞ୍ଜିଳି, ବରଗଡ଼, ବାଲିଅନ୍ତା, ବାଲିପାଟଣା ଓ ଝାରସୁଗୁଡାରେ ଘଟିଥିବା ସମ୍ପ୍ରତିକ ନୃଶଂସ ଘଟଣାର ଉଦାହରଣ ଦେଇ ସେ ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତାକୁ ଦାୟୀ କରିଥିଲେ ।
ସଭା ପରେ ଶତାଧିକ ବିଜେଡି ମହିଳା କର୍ମୀ ତାରିଣୀ ମନ୍ଦିରରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇ ସେମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ତୁରନ୍ତ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ସହ ରାଜ୍ୟରେ ମହିଳା ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଜିଲ୍ଲା ମହିଳା ବିଜେଡି ସଭାପତି ଜୟନ୍ତୀ ବାହୁକ, ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।







