ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଭାଟିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷର ପରୀକ୍ଷାଫଳରେ ଗୌରବମୟ ସଫଳତା ହାସଲ କରି ଜିଲ୍ଲାରେ ନୂତନ ଇତିହାସ ସୃଷ୍ଟି କରିଛି । ବିଦ୍ୟାଳୟରୁ ମୋଟ ୧୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୯ ପ୍ରତିଶତ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ଚମତ୍କାର ସଫଳତା ସହ ବିଦ୍ୟାଳୟ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି ।
ପରୀକ୍ଷାଫଳ ଅନୁସାରେ ୧୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ (1st Division), ୬୪ ଜଣ ଦ୍ୱିତୀୟ ଶ୍ରେଣୀ (2nd Division) ଏବଂ ୩୮ ଜଣ ତୃତୀୟ ଶ୍ରେଣୀ (3rd Division)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଏହା ସହିତ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଅଭୂତପୂର୍ବ ସଫଳତା ହାସଲ କରିଛି । ଏହି ବିଭାଗରେ ୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୦ ପ୍ରତିଶତ ଫଳାଫଳ ହୋଇଛି । ସେଥିରୁ ୧୬ ଜଣ ପ୍ରଥମ ଶ୍ରେଣୀ ଏବଂ ୫ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ଦ୍ୱାରା ଧନ୍ଦାମୂଳକ ଶିକ୍ଷାରେ ସାରା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି ।
ଏହି ଐତିହାସିକ ସଫଳତା ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିବା ବେଳେ ଖବର ପ୍ରଚାର ପାଇବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଗ୍ରାମବାସୀମାନେ ଭାଟିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କଲେଜ ଷ୍ଟାଫ ଏବଂ ପ୍ରିନ୍ସିପାଲ ସାରଙ୍କୁ ଏହି ଅଭୂତପୂର୍ବ ସଫଳତା ପାଇଁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟ
ଭାଟିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଐତିହାସିକ ସଫଳତା
- Hits: 531







