ହେଡଲାଇନସ୍:

କାଠ ଚୋରଙ୍କ ପାଇଁ ବୁଧବାର ୬ ଘଣ୍ଟା ଅନ୍ଧାରରେ ରୋହିବାଙ୍କ ବାସୀ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁନଃ ବିଦ୍ୟୁତ ବିଭ୍ରାଟ ପାଇଁ ଗୁରୁବାର ରୋହିବାଙ୍କ ଠାରେ ୨୧ ନମ୍ବର ରାଜ୍ୟ ରାଜପଥ ଅବରୋଧ

ଓଡ଼ଗାଁ, ୨୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଦ୍ୟୁତ୍ ସେକ୍ସନ ଅଧୀନ ରୋହିବାଙ୍କ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ୧୧ କେଭି ବିଦ୍ୟୁତ୍ ତାର ଉପରେ ଗଛ ଡାଳ ପଡ଼ିଯିବାରୁ ପ୍ରାୟ ୬ ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ସନ୍ଧ୍ୟା ୭ଟାରୁ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିଥିବାରୁ ସମଗ୍ର ଅଞ୍ଚଳ ଅନ୍ଧକାରରେ ଡୁବିଯାଇଥିଲା। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ କର୍ମଚାରୀମାନେ ରାତିର ଅନ୍ଧକାର ମଧ୍ୟରେ ଫଲ୍ଟ ଖୋଜିବାକୁ ଲାଗିଥିଲେ। ଶେଷରେ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ବେଳେ ବାଘୁଆ ଡ୍ୟାମ ବନ୍ଧ ତଳେ ୧୧ କେଭି ତାର ଉପରେ ଏକ ବଡ଼ ଗଛ ଡାଳ ପଡ଼ିଥିବା ଚିହ୍ନଟ କରାଯାଇଥିଲା। ପରେ କର୍ମଚାରୀମାନେ ଡାଳଟିକୁ ହଟାଇବା ପରେ ରାତି ପ୍ରାୟ ୧ଟାରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସନ୍ଧ୍ୟା ସମୟରେ କିଛି କାଠ ଚୋର ଆକାଶିଆ ଗଛର ଦୁଇଟି ମୋଟା ଡାଳ କାଟୁଥିବା ବେଳେ ସେଥିରୁ ଗୋଟିଏ ଡାଳ ସିଧାସଳଖ ୧୧ କେଭି ତାର ଉପରେ ପଡ଼ିଯାଇଥିଲା। ପରେ ସେମାନେ ଗଛର ମୂଳ ଅଂଶକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। କେବଳ ତଳେ ପଡ଼ିଥିବା କିଛି ଡାଳ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଆକାଶିଆ କାଠ ଦେଖିବାକୁ ଶାଗୁଆନ କାଠ ପରି ହୋଇଥିବାରୁ ଏହି ଗଛଗୁଡ଼ିକ ଉପରେ କାଠ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ୁଥାଏ। ଏହି ଘଟଣାରେ ଦୋଷ କାଠ ଚୋରଙ୍କର ଥିଲେ ମଧ୍ୟ ରାତିସାରା ସାଧାରଣ ଲୋକଙ୍କ ଅସନ୍ତୋଷ ଓ ଗାଳି ଶୁଣିବାକୁ ପଡ଼ିଥିଲା । ତେବେ ଓଡ଼ଗାଁ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । କୌଣସି ନା କୌଣସି ବାହାନାରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ଅସହ୍ୟ ଗରମ ଯନ୍ତ୍ରଣା ଦାୟକ ହୋଇପଡିଛି। ଗତ ମଙ୍ଗଳବାର ମେ ମାସ ୧୯ ତାରିଖରେ ଦୀର୍ଘ ୭ ଘଣ୍ଟା ଧରି ଓଡ଼ଗାଁ ଅଞ୍ଚଳ ଅନ୍ଧାରରେ ରହିଥିବା ବେଳେ ବୁଧବାର କୋମଣ୍ଡ ନିକଟରେ କାଠ ଚୋରଙ୍କ ପାଇଁ ୩୩ କେଭି ବିଦ୍ୟୁତ୍ ତାର ଉପରେ ଗଛପଡି ଦୀର୍ଘ ସମୟ ଧରି ବିଦ୍ୟୁତ ବିଛିନ୍ନ ହୋଇଥିଲା। ଏଭଳି କ୍ଷେତ୍ରରେ ଗୁରୁବାର ମଧ୍ୟ ନୟାଗଡ଼ ଗ୍ରିଡର ଓଡ଼ଗାଁ ଫିଡର ତୃଟି କାରଣରୁ ପ୍ରାୟ ୬ ଘଣ୍ଟା ଧରି ଓଡ଼ଗାଁ ଅଞ୍ଚଳ ବିଦ୍ୟୁତ୍ ଉପଭୋକ୍ତା ଅନ୍ଧାରରେ ପଡ଼ି ରହିଛନ୍ତି। ଫଳରେ ଜ୍ୟେଷ୍ଠ ମାସର ଅଗ୍ନି ବର୍ଷା ଘରା ଗରମ ଲାଗିରହିଥିବା ବେଳେ ଏଭଳି ନିତି ନିତି ବିଦ୍ୟୁତ ବିଭ୍ରାଟକୁ ବିରୋଧ କରି ନୟାଗଡ଼ ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ରୋହିବାଙ୍କ ଠାରେ ଏକଘଣ୍ଟାରୁ ଉତ୍ୟକ୍ତ ଲୋକମାନେ ରାସ୍ତା ରୋକ କରିଛନ୍ତି। ଖବର ଲେଖାଯିବା ବେଳକୁ ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ଏସଆଇ ଚକ୍ରଧର ସିଂ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ପହଞ୍ଚି ରାସ୍ତାରୋକ ହଟାଇବା ପାଇଁ ବୁଝାସୁଝା କରୁଥିବା ଜଣାପଡିଛି।

0
0
0
s2sdefault