ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ରାଜ୍ୟରେ ଅପରାଧୀମାନେ ଏବେ ସୀମା ପାର କରିଛନ୍ତି। ପୋଲିସର ଦୁଇ ଦୁଇଟି ଏନକାଉଣ୍ଟର ପରେ ମଧ୍ୟ ଅପରାଧୀଙ୍କ ମନରେ ସେଭଳି କୌଣସି ଭୟ ଦେଖିବାକୁ ମିଳୁନାହିଁ। ଏହିଭଳି ଏକ ସଙ୍ଗୀନ ପରିସ୍ଥିତିରେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଭଞ୍ଜନଗର ଥାନା ପଛପଟେ ଥିବା ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ବୋମା ମାଡ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ସହରରେ ଆତଙ୍କର ବାତାବରଣ ଖେଳିଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ଆଶଙ୍କା, ତଦନ୍ତରେ ଭଞ୍ଜନଗର ପୋଲିସ।
ଅପରାଧୀମାନେ ସିଧାସଳଖ ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଏହି କାଣ୍ଡ ଭିଆଇଛନ୍ତି। ତେବେ କିଏ ଏବଂ କେଉଁ କାରଣ ପାଇଁ ବୋମା ମାଡ଼ କରିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଆକଳନ ଅନୁସାରେ ପୂର୍ବ ଶତ୍ରୁତାରୁ ହିଁ ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଛି।
ଘଟଣା ସ୍ଥଳରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ପୋଲିସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୌରାଧ୍ୟକ୍ଷଙ୍କ ଘର ସମ୍ମୁଖରେ ଏବଂ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି (CCTV) ଫୁଟେଜକୁ ପୋଲିସ ଜବତ କରି ଯାଞ୍ଚ କରୁଛି। ଏହା ସହିତ ଅଧିକ ତଦନ୍ତ ପାଇଁ ଛତ୍ରପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସୁଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଭଞ୍ଜନଗର ମ୍ୟୁନିସିପାଲଟି ପକ୍ଷରୁ ଐତିହାସିକ ଠାକୁରାଣୀ ଯାତ୍ରାରେ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହି ଦିନ ସହରରେ ପ୍ରବଳ ଭିଡ଼ ଥିବା ବେଳେ ଦୁଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ହିଂସାତ୍ମକ ଆକ୍ରମଣରେ କିଛି ଯୁବକ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣାକୁ ନେଇ ଥାନାରେ ଉଭୟ ପକ୍ଷରୁ ୩ଟି ଅଭିଯୋଗ ହୋଇଥିଲା ଏବଂ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିବା ସୂଚନା । ଆଶଙ୍କା କରାଯାଉଛି ଯେ, ଉକ୍ତ ବିବାଦକୁ ନେଇ ପୌରାଧ୍ୟକ୍ଷଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏଭଳି ପନ୍ଥା ଆପଣାଇଛନ୍ତି।
ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଏକ ବାଇକରେ ଦୁଇଜଣ ଯୁବକ ଆସି ପୌରାଧ୍ୟକ୍ଷଙ୍କ ଘରକୁ ଲକ୍ଷ୍ୟ କରି ଏହି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ ସେହି ସମୟରେ ପୌରାଧ୍ୟକ୍ଷ ଘରେ ନଥିଲେ, କିନ୍ତୁ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ବିକଟାଳ ଶବ୍ଦ ଶୁଣି ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ଦୁର୍ବୃତ୍ତମାନେ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ରହି ବୋମା ଫିଙ୍ଗିଥିଲେ, ଯାହା ଗ୍ୟାରେଜ ଘର ଉପରେ ପଡ଼ିଥିଲା। ଏହି ବୋମାମାଡ଼ରେ ଘରର କିମ୍ବା କାହାରି କିଛି କ୍ଷତି ହୋଇନାହିଁ। ଏ ସମ୍ପର୍କରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି ଯେ, ଘଟଣାର ଜୋରଦାର ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
ରାଜ୍ୟ
ଗଞ୍ଜାମରେ ଅପରାଧୀ ବେଲଗାମ, ଭଞ୍ଜନଗର ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼
- Hits: 254







