-
ମାସରେ ପ୍ରାୟ ୭୦ ଥରରୁ ଅଧିକ ୩୩ କେଭି ଫେଲ୍,
-
୩ଶହ ଘଣ୍ଟାରୁ ଅଧିକ ଥର ବିଦ୍ୟୁତ୍ ବିଛିନ୍ନ, ବୃଦ୍ଧି ପାଉଛି ଜନ ଅସନ୍ତୋଷ
ଓଡ଼ଗାଁ, ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ପୁଣି ଥରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର ସକାଳରୁ ମେଘ କିମ୍ବା ପବନ ନଥିବା ସତ୍ତ୍ୱେ ୩୩ କେଭି ଲାଇନ୍ ଫଲଟ୍ ହେବାରୁ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଛି। ତେବେ ଏପର୍ଯ୍ୟନ୍ତ ତୃଟିର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାରୁ ବିଭିନ୍ନ ସମୟ ବୃଦ୍ଧି ପାଇପାରେ। ଏଭଳି ଘଟଣାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟରେ ବିଦ୍ୟୁତ୍ ବିଛିନ୍ନ ହେବାରୁ ଲୋକମାନେ ଅସହ୍ୟ କଷ୍ଟ ଭୋଗୁଛନ୍ତି। ବିଟଳ ଗାଡ଼ିଆ ନିକଟ ବୈଷ୍ଣୋଦେବୀ ମନ୍ଦିର ଓ ସୋଲପଟା ରାସ୍ତାର ଭୁଇଁ ଆଣି କ୍ରସର ପଛପାଖରେ ତ୍ରୁଟି ଚିହ୍ନଟ ହୋଇଥିବା ବେଳେ, କେତେବେଳେ ମରାମତି ସରିବ ଏବଂ କେବେ ପୁନଃ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବ ସେନେଇ ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି। ସୂଚନା ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ନୟାଗଡ଼–ଓଡ଼ଗାଁ ୩୩ କେଭି ଲାଇନରେ ୭୦ ଥରରୁ ଉର୍ଦ୍ଧ୍ବ ଥର ତୃଟି ଘଟିଥିବା ବେଳେ ପ୍ରାୟ ୩ଶହ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ରହିଛି। ବାରମ୍ବାର ଏପରି ସମସ୍ୟା ଦେଖା ଦେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ନେଇ ବିଦ୍ୟୁତ୍ ବିଭାଗର ପକ୍ଷରୁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ନୟାଗଡ଼ ଗ୍ରୀଡ୍ରୁ ନୟାଗଡ଼, ବିନୋଦପଡା, ଖଣ୍ଡପଡ଼ା, ଦଶପଲ୍ଲା, ଓଡ଼ଗାଁ, ଶରଣକୁଳ, ମାଛିପଡା, ଗୋଡ଼ିପଡା, କୁରାଳ ଓ ହରିପୁର ସହ ୧୦ଟି ୩୩ କେଭି ଫିଡରକୁ ବିଦ୍ୟୁତ୍ ଯୋଗାଣ ହେଉଛି। କିନ୍ତୁ ଏହି ସମସ୍ତ ଫିଡରର ମରାମତ କାମ ପାଇଁ ମାତ୍ର ଦୁଇଟି ଟିମ୍ ନିଯୁକ୍ତ ରହିଥିବାରୁ ଏକାସାଙ୍ଗେ ଏକାଧିକ ଫିଡରରେ ତ୍ରୁଟି ହେଲେ ମରାମତ କାମ ବିଳମ୍ବ ହେବା ସ୍ୱାଭାବିକ ହେଉଛି। ଗ୍ରୀଷ୍ମକାଳରେ ଏପରି ଘନଘନ ବିଦ୍ୟୁତ୍ ବିଭ୍ରାଟ ଲୋକଙ୍କ ପାଇଁ ଅସହ୍ୟ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଓ ଅତିରିକ୍ତ କର୍ମଚାରୀ ନିଯୁକ୍ତି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏପରି ସମସ୍ୟା ଲାଗାତାର ଜାରି ରହୁ ଥିବାରୁ ତେ
ଲୋକଙ୍କ ଧର୍ଯ୍ୟଚ୍ୟୁତି ଘଟିବାକୁ ବସିଲାଣି। ଏଣୁ ପରବର୍ତ୍ତୀ ପରିସ୍ଥିତି ପାଇଁ ବିଭାଗୀୟ ଅଧିକାରୀ ମାନେ ଦାୟୀ ରହିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।







