ହେଡଲାଇନସ୍:

ଇବ ନଦୀରୁ ପାଣି ଉଠାଣିକୁ ନେଇ ତୀବ୍ର ବିରୋଧ : ୫୦ ଗ୍ରାମରେ ଜଳ ସଙ୍କଟ ଆଶଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା: ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡିଶା ମେଟାଲିକ କମ୍ପାନୀ ଦ୍ୱାରା ଇବ ନଦୀରୁ ପାଣି ଉଠାଣିକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମରାକୁଟା, ଜମେରା, ଏଚ୍ କଣ୍ଟାପାଲି ସହିତ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳର ଗ୍ରାମବାସୀମାନେ କମ୍ପାନୀ ବିରୋଧରେ ବେଆଇନ ଭାବେ ପାଣି ଉଠାଯାଉଥିବା ଅଭିଯୋଗ କରି ଗତ ତିନି ଦିନ ଧରି ଧାରଣାରେ ବସିଥିଲେ।

ଶୁକ୍ରବାର ରାତିରେ ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ମଧ୍ୟସ୍ଥତାରେ ଧାରଣାକାରୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କମ୍ପାନୀ ପକ୍ଷରୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଓ ସମାଧାନର ପ୍ରତିଶ୍ରୁତି ଦିଆଯାଇଥିବାରୁ ଧାରଣାକାରୀମାନେ ସାମୟିକ ଭାବେ ଧାରଣାରୁ ଓହରିଛନ୍ତି।

ତେବେ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେ ମୁଖ୍ୟ ଚିନ୍ତାର ବିଷୟ ହେଉଛି, ଯଦି ପୁଣି କମ୍ପାନୀକୁ ଇବ ନଦୀରୁ ପାଣି ଉଠାଇବାକୁ ଅନୁମତି ମିଳେ, ତେବେ ନଦୀକୂଳରେ ଥିବା ପ୍ରାୟ ୫୦ଟି ଗ୍ରାମ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ନଦୀର ଜଳସ୍ତର କମିଯାଉଥିବାରୁ ପାଣି ଉଠାଣି ଚାଲିଥିଲେ ପାନୀୟ ଜଳ, ଚାଷବାସ ଓ ଗୃହପାଳିତ ପଶୁପକ୍ଷୀ ପାଇଁ ଗୁରୁତର ସମସ୍ୟା ହେବ।

ସୂଚନା ଅନୁସାରେ, ହୀରାକୁଦ ଡ୍ୟାମ ପ୍ରକଳ୍ପ ଓ ଜଳସେଚନ ବିଭାଗର ନିୟମ ଅନୁଯାୟୀ ଅଣମୌସୁମୀ ସମୟରେ ଇବ ନଦୀରୁ ପାଣି ଉଠାଣି ଉପରେ କିଛି ନିୟନ୍ତ୍ରଣ ରହିଛି। ନଦୀ ମଧ୍ୟରେ ବନ୍ଧ ନିର୍ମାଣ କିମ୍ବା ମାଟି ଖୋଳି ପାଣି ସଂରକ୍ଷଣ କରିବାକୁ ମଧ୍ୟ ନିଷେଧ ଥିବା କୁହାଯାଉଛି। ଏହି ସମସ୍ତ ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ବିରୋଧ ଜାରି ରଖିଛନ୍ତି।

ଗ୍ରାମବାସୀମାନେ କହିଛନ୍ତି, କମ୍ପାନୀକୁ ଯଦି ପୁଣି ପାଣି ଉଠାଇବାକୁ ଅନୁମତି ଦିଆଯାଏ, ତେବେ ପୁନର୍ବାର ଆନ୍ଦୋଳନ ତୀବ୍ର କରାଯିବ। ଏହା ସହ ମତ୍ସ୍ୟଜୀବୀ, ପନିପରିବା ଚାଷୀ ଓ ଗରିବ ପରିବାରମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ କମ୍ପାନୀ ପକ୍ଷରୁ ଅଜିତ ସିଂ କହିଛନ୍ତି ଯେ, ସ୍ଥାନୀୟ ୫ ଜଣଙ୍କୁ ଚାକିରି ଦିଆଯିବା ସହ ପାଣି ଉଠାଣି ପ୍ରକ୍ରିୟାକୁ ନେଇ ଆଲୋଚନା ଚାଲିଛି। ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର କହିଛନ୍ତି ଯେ, ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।

0
0
0
s2sdefault