ହେଡଲାଇନସ୍:

ଏମିନେନ୍ସୀ ଇନଷ୍ଟିଚ୍ୟୁଟ ଅଫ୍ ନର୍ସିଂରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "ସେବା ହିଁ ମାନବତାର ସର୍ବୋତ୍ତମ ଉଦାହରଣ"


ସୁବର୍ଣ୍ଣପୁର, ୧୨/୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏମିନେନ୍ସୀ ଇନଷ୍ଟିଚ୍ୟୁଟ ଅଫ୍ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ଅତ୍ୟନ୍ତ ଆଡମ୍ବର, ଉତ୍ସାହ ଓ ଭାବବିହ୍ବଳ ପରିବେଶ ମଧ୍ୟରେ ପାଳିନ କରାଯାଇଛି। ଆଧୁନିକ ନର୍ସିଂର ଜନନୀ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ଓ ମାନବିକତାର ଜୟଗାନ କରାଯାଇଥିଲା।
ଅନୁଷ୍ଠାନର ଶିକ୍ଷୟିତ୍ରୀ ସୁସ୍ମିତା ସୁନା ସଭା ସଂଚାଳନ କରିଥିବାବେଳେ ପ୍ରାଚାର୍ଯ୍ୟ ସୌମ୍ୟରଞ୍ଜନ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂସ୍ଥାର ଅଧ୍ୟକ୍ଷା ଶ୍ରୀମତୀ ଯଶସ୍ବିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ କିଶୋର ମେହେର ଓ ବ୍ଲକ ସମ୍ବାଦିକ ସଂଘ ସମ୍ପାଦକ ମୁକେଶ କୁମାର ଭୋଇ ମଞ୍ଚାସୀନ ହୋଇଥିଲେ। ଅତିଥିମାନେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଂସ୍ଥା ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
ଶ୍ରୀମତୀ ଯଶସ୍ବିନୀ ସାହୁ ନର୍ସମାନଙ୍କ ସେବାକୁ "ମାନବତାର ସର୍ବୋତ୍ତମ ଉଦାହରଣ" ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ, ଜଣେ ନର୍ସ ରୋଗୀଙ୍କ ମନରେ ଆଶା ଓ ସାହସ ସଞ୍ଚାର କରିଥାନ୍ତି। କୋଭିଡ୍ ସମୟର ତ୍ୟାଗକୁ ମନେ ପକାଇ ସେ ଛାତ୍ରଛାତ୍ରୀଙ୍କୁ ନିଜ ପେଶାକୁ ଏକ ବ୍ରତ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।
ଅଧ୍ୟାପକ କିଶୋର ମେହେର ନର୍ସିଂ ପେଶାର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିବା ସହ ଜ୍ଞାନ ସହିତ ଧୈର୍ଯ୍ୟ ଓ ଦୟାଭାବ ରଖିବାକୁ ପରାମର୍ଶ ଦେଇଥିଲେ।ସାମ୍ବାଦିକ ମୁକେଶ କୁମାର ଭୋଇ ସ୍ୱାସ୍ଥ୍ୟ ସଚେତନତା ଓ ସମାଜ ଗଠନରେ ନର୍ସମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ।
ପ୍ରାଚାର୍ଯ୍ୟ ସୌମ୍ୟରଞ୍ଜନ ନାଗ ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ସହ ନର୍ସମାନଙ୍କ ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ। ସାନିଆ ସାହୁ, ମିଲି ମେହେର, ଲକ୍ଷ୍ମୀ ବାଗ, ପଦ୍ମାଳୟା ବସ୍ତିଆ, ଶୁଭଶ୍ରୀ ନାଏକ, ଡଲି କୁମ୍ଭାର ଓ ବବିତା ସୁନା ଦେଶଭକ୍ତିମୂଳକ ନୃତ୍ୟ ଓ ସମାଜ ସଚେତନତାମୂଳକ ନାଟକ ପ୍ରଦର୍ଶନ କରିଥିଲେ। ନର୍ସମାନଙ୍କ ସଂଘର୍ଷମୟ ଜୀବନ ଓ ମାନବ ସେବା ଉପରେ ଆଧାରିତ ଏହି ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଛାତ୍ରୀ ସାନିଆ ସାହୁ ନର୍ସ ଦିବସ ଉପରେ ଏକ ଓଜସ୍ୱିନୀ ଭାଷଣ ପ୍ରଦାନ କରି ନର୍ସମାନଙ୍କୁ "ହସ୍ପିଟାଲର ହୃଦୟ" ବୋଲି କହିଥିଲେ, ଯାହା ସମସ୍ତଙ୍କୁ ଭାବବିହ୍ବଳ କରିଥିଲା। ଏହି ଅବସରରେ ଏକ କେକ୍ କଟିଂ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
"ସେବା ହିଁ ଧର୍ମ" ସ୍ଲୋଗାନରେ ସମଗ୍ର ପରିବେଶ ଉତ୍ସାହିତ ହୋଇଥିବା ବେଳେ ଶେଷରେ ପ୍ରାଚାର୍ଯ୍ୟ ଶ୍ରୀ ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାପୂର୍ବକ ସମ୍ପନ୍ନ ହୋଇଥିଲା।

0
0
0
s2sdefault