ହେଡଲାଇନସ୍:

ରଘୁନାଥ ଜୀଉଙ୍କ ବାହାର ଚନ୍ଦନ ଯାତ୍ରା ଅନ୍ତିମ ପର୍ଯ୍ୟାୟ; ଆସନ୍ତାକାଲିଠାରୁ ଭିତରି ଚନ୍ଦନ ଯାତ୍ରା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୦।୫ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ଆରାଧ୍ୟ ଦେବତା ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ବାହାର ଚନ୍ଦନ ଯାତ୍ରା ଅନ୍ତିମ ପର୍ଯ୍ୟାୟ ନୀତି ରବିବାର ଭବ୍ୟ ଆୟୋଜନ ମଧ୍ୟରେ ସମାପ୍ତ ହୋଇଛି। ଆସନ୍ତା ସୋମବାର ଠାରୁ ୨୧ ଦିନବ୍ୟାପୀ ଭିତରି ଚନ୍ଦନ ଯାତ୍ରା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରବିବାର ଅପରାହ୍ନରେ ଶ୍ରୀ ରଘୁନାଥ ଜୀଉ, ଭ୍ରାତା ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ବିଜେ ପ୍ରତିମା ଥାଟପାଟ ଓ ପଟୁଆର ମଧ୍ୟରେ ସୁସଜ୍ଜିତ ସ୍ୱତନ୍ତ୍ର ବିମାନ ଯୋଗେ ରାମସାଗର ପୁଷ୍କରିଣୀ ମଣ୍ଡପକୁ ବିଜେ କରିଥିଲେ। ପରେ ଜରି ଜମ୍ବୁରା ସହିତ ଡାଳପତ୍ର ହଂସ ଖଚିତ ସଜ୍ଜିତ ଚାପଡଙ୍ଗାରେ ବିଜେ ହୋଇ ଗୋଟିଏ ଘେରା ଚାପଖେଳିବା ପରେ ପୁଷ୍କରିଣୀ ମଧ୍ୟସ୍ଥ ଚାପଗୃହକୁ ବିଜେ କରିଥିଲେ । ଭୋଗ ଓ ଆଳତି ପରେ ବିଜେ ପ୍ରତିମା ମାନେ ଚନ୍ଦନ ଏବଂ ଅନ୍ୟ ସୁବାସିତ ଦ୍ରବ୍ୟ ମିଶ୍ରିତ ଜଳରେ ବୁଡ଼ି ରହିଥିଲେ। ମନ୍ଦିର ନୀତି ସମାପ୍ତ ପରେ ବିଳମ୍ବିତ ରାତିରେ ଭକ୍ତ ହନୁମାନଙ୍କ ସହ ରାମେଶ୍ୱର ମହାଦେବ ଏବଂ ରାଧାକୃଷ୍ଣ ଜୀଉ ସ୍ୱତନ୍ତ୍ର ବିମାନରେ ରାମସାଗର ପୁଷ୍କରିଣୀ ମଣ୍ଡପକୁ ବିଜେ କରିଥିଲେ। ଭୋଗ ଓ ଆଳତି ନୀତି ପରେ ସମସ୍ତ ବିଜେ ପ୍ରତିମା ମିଳିତ ଭାବେ ୨୦ ଘେରା ଚାପ ଖେଳି ଗ୍ରୀଷ୍ମର ଉତ୍ତାପ ପ୍ରକୋପରୁ ଆସ୍ବସ୍ତୀ ଲଭିଥିଲେ। ଏହାହିଁ ପ୍ରଭୁଙ୍କ ମାନବୀୟ ଲୀଳାର ଏକ ନିଦର୍ଶନ ।

ଏହି ଅବସରରେ ରାତିସାରା ମନ୍ଦିର ଖୋଲା ରହିଥିଲା ଓ ସନ୍ଧ୍ୟାରେ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିରହିଥିଲା। ପରଦିନ ସୋମବାର ଭୋର ସମୟରେ ନୀତିକାନ୍ତି ସମାପନ ପରେ ଘଣ୍ଟ, ଘଣ୍ଟା, ଖୋଳ, ତାଳ, କାହାଳୀ, ମଶାଲ, ଛତି ଓ ତ୍ରାସ ସହ ଠାକୁରମାନେ ଓଡ଼ଗାଁ ନଗର ପରିକ୍ରମାରେ ବାହାରିଥିଲେ। ପୂର୍ବ ନିର୍ଦ୍ଧାରିତ ଘରୋଇ ସ୍ଥାନ ସହିତ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଏନଏସି, ଥାନା, ବନାଞ୍ଚଳ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସରକାରୀ-ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ଶ୍ରୀଜୀଉ ମାନଙ୍କ ଉପସ୍ଥିତିରେ ଚାଚେରୀ ଭୋଗ ନୈବେଦ୍ୟ ଗ୍ରହଣ ଅର୍ପଣ କରାଯାଇଥିଲା । ଏହି ଅବସରରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା ।

0
0
0
s2sdefault