କେନ୍ଦ୍ରାପଡ଼ା:୦୯.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ପଟ୍ଟାମୁଣ୍ଡାଇସ୍ଥିତ ହରିହରନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦଯାପିତ ହୋଇଯାଇଛି।ଗତ ୨୪ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ୮ ମଇରେ ଅନୁଷ୍ଠିତ ହୋଇଥିଲା। ବାଳକ ବିଭାଗରେ ପଟ୍ଟାମୁଣ୍ଡାଇ ଦଳ ପେନାଲ୍ଟି ଶୁଟ୍ଆଉଟ୍ରେ ୪-୨ ଗୋଲରେ ନେତାଜୀ କ୍ଲବ, ରାଜକନିକାକୁ ପରାସ୍ତ କରି ବିଜେତା ହୋଇଥିବା ବେଳେ, ବାଳିକା ବିଭାଗରେ ଆଳି ହାଇସ୍କୁଲ ଦଳ ୨-୦ ଗୋଲରେ ଆଳି ଏକାଡେମୀକୁ ପରାସ୍ତ କରି ଚଳିତ ବର୍ଷର ସିଏମ ଟ୍ରଫି ହାସଲ କରିଛି।
ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଅଗ୍ରଣୀ ଫୁଟବଲ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସେ କହିଥିଲେ, ଫୁଟବଲ ଖେଳ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଓ ଦଳୀୟ ସମନ୍ୱୟ ବୃଦ୍ଧି କରିଥାଏ। ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଗ୍ରାମାଞ୍ଚଳରୁ ଉଦୀୟମାନ ଖେଳାଳିମାନେ କିପରି ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ, ସେଥିପାଇଁ ମାର୍ଗଦର୍ଶନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲା ଏଥଲେଟିକ୍ସ ସଂଘର ସାଧାରଣ ସମ୍ପାଦକ ସୟଦ ଆକମଲ ଅଲ୍ଲୀ ଖେଳାଳିମାନଙ୍କୁ କଠିନ ପରିଶ୍ରମ ଓ ନିୟମିତ ଅଭ୍ୟାସ ମାଧ୍ୟମରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ।
କ୍ରୀଡା ସମ୍ପାଦକ ଜ୍ୟୋତିର୍ମୟ ଦାସ ସଭା ପରିଚାଳନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଶ୍ରମ ସ୍କୁଲର ଅଧ୍ୟକ୍ଷ ଡ଼ଃ ମଳୟନନ୍ଦ ଗିରି, କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା, ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ସାହୁ, ସ୍ୱାମୀ ଆଦିତ୍ୟନନ୍ଦ ଗିରି, ଅମ୍ବିକା ମହାନ୍ତି, ଅଜହର ଅଲ୍ଲୀ ଓ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ ଓଡ଼ିଶା ରେଫେରୀ ଦୈତାରୀ କୁରୁ, ଆରତୀ ସାହୁ, ସାକେଲିନ ଆଲମ ଓ ସଲିମ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ। ଏହି ଅବସରରେ ଆନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ଗାୟତ୍ରୀ ମଲ୍ଲିକ, ଆଲୋଚନା ସେନାପତି ଓ ରଶ୍ମିତା ପାତ୍ର ମଧ୍ୟ ଉପସ୍ଥିତ ଥିଲେ।
ରାଜ୍ୟ
ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦଯାପିତ ।
- Hits: 31







