ହେଡଲାଇନସ୍:

ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ୍ ଥାନାରେ ଥାନାର ସମ୍ମିଳନୀ କକ୍ଷ ଠାରେ ଆଜି ( ଶୁକ୍ରବାର ) ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶା ପୋଲିସ ଓ ୟୁନିସେଫ ସହଯୋଗରେ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ଶାଖା (ସି.ଆଇ.ଡି – ସି.ବି)ଆନୁକୁଲ୍ୟରେ “ଜୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋର ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ପୋଲିସ ମହା ନିର୍ଦ୍ଦେଶକ , ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା (ସି.ଆଇ.ଡି -ସି.ବି) କାର୍ଯ୍ୟାଳୟରୁ ଅନଲାଇନ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଶଗ୍ରହଣକାରୀ ପୋଲିସ ଷ୍ଟେସନ୍ ମାନଙ୍କ ସହିତ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଷ୍ଟେସନରେ ମଧ୍ୟ ପ୍ରସାରିତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଦର୍ଶ ଥାନା ର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜରେ କିଶୋର ମାନଙ୍କ ପ୍ରତି ଦେଖା ଦେଉଥିବା ବିଭିନ୍ନ ଅପରାଧ ସମ୍ପର୍କରେ ସୂଚନା ଦେଇ କିଶୋର କିଶୋରୀ ମାନଙ୍କ ପାଇଁ ଡିଜିଟାଲ ଅଧିକାର , ଅନଲାଇନ୍ ସୁରକ୍ଷା ଏବଂ ସାଇବର ବୁଲିଂ ଉପରେ କହି ଉପସ୍ଥିତ କିଶୋର କିଶୋରୀ ମାନଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଏସ.ଡି.ପି.ଓ ଶ୍ରୀ ମାଧବ ନନ୍ଦ ନାୟକ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ପୋଲିସ ଏସ.ଆଇ କୌତୁକ ସେଠୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଜୁଭେଣ୍ଟିକା ବିଷୟରେ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବର୍ଗ ହେଉଛନ୍ତି ୧୪ ରୁ ୧୮ ବର୍ଷ ବୟସର କିଶୋର-କିଶୋରୀ , କାରଣ ପୋଲିସ ଷ୍ଟେସନମାନଙ୍କରେ ରିପୋର୍ଟ ହେଉଥିବା ଶିଶୁ ସମ୍ବନ୍ଧୀୟ ଅପରାଧର ଏକ ବଡ଼ ଅଂଶ ଏହି ବୟସ ବର୍ଗରେ ଘଟୁଅଛି । ଅନେକ ସମୟରେ ସାମାଜିକ ଅପମାନ ଓ ପାରିବାରିକ ଭୟ କାରଣରୁ ଏହିପରି ଘଟଣା ରିପୋର୍ଟ କରାଯାଉନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲଗାତାର ସଚେତନତା ଓ ସମୁଦାୟ ସମ୍ପୃକ୍ତି ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଏମିତିକି ପ୍ରତ୍ୟେକ ପୋଲିସ ଷ୍ଟେସନକୁ ଏକ ଶିଶୁ-ଅନୁକୂଳ ଓ ସୁରକ୍ଷିତ ସ୍ଥାନ ଭାବରେ ଗଢି ତୋଳିବା ସହ ଯେଉଁଠାରେ କି ଶିଶୁ ଓ କିଶୋର-କିଶୋରୀମାନେ ବିନା ଭୟରେ ପୋଲିସ ନିକଟକୁ ଆସିପାରିବେ । ଆଜିର ଶିଶୁମାନେ ଇଣ୍ଟରନେଟରେ ଅଧିକ ସମୟ ବିତାଉଥିବାରୁ ସେମାନଙ୍କୁ ଡିଜିଟାଲ ଅଧିକାର ଓ ଅନଲାଇନ୍ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ସମେତ ସାଇବର ବୁଲିଂ , ଅନଲାଇନ୍ ଶୋଷଣ ଓ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିପଦରୁ ସେମାନଙ୍କୁ ସୁରକ୍ଷା ଦେବା। ସେହିଭଳି ଶିଶୁମାନଙ୍କ ସହିତ ବିଶ୍ୱାସର ଏକ ସମ୍ପର୍କ ଗଢିବା ସହ ଯେପରି କି ସେମାନେ ପୋଲିସକୁ ଭୟର ବସ୍ତୁ ନ ଭାବି ଜଣେ ବନ୍ଧୁ , ମାର୍ଗଦର୍ଶକ ଓ ରକ୍ଷକ ଭାବରେ ଦେଖିବେ । ତେଣୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ , ପାରଳାଖେମୁଣ୍ଡି ପୋଲିସ ସମସ୍ତ ନାଗରିକ , ସରକାରୀ ବିଭାଗ ଓ ସଂସ୍ଥା , ବେସରକାରୀ ସଂଗଠନ , ଶିଶୁ ଯତ୍ନ ସଂସ୍ଥା (ସି.ସି.ଆଇ) , ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିବାକୁ ଆନ୍ତରିକ ଅନୁରୋଧ କରାଯାଉଛି ।
ଏହି ସନ୍ଦେଶକୁ ବ୍ୟାପକ ଭାବରେ ପ୍ରଚାର କରିବା ପାଇଁ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ଗଣମାଧ୍ୟମର ସମସ୍ତ ସାଥୀଙ୍କୁ ବିଶେଷ ନିବେଦନ ଜଣାଯାଉଛି ଯେ , ଯେପରି କି , ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆମ ଶିଶୁମାନଙ୍କ କଲ୍ୟାଣ ପାଇଁ ଏକ ସାର୍ଥକ ଓ ସଫଳ ପ୍ରୟାସ ହୋଇପାରିବ।

0
0
0
s2sdefault