ହେଡଲାଇନସ୍:

ବିଭିନ୍ନ ଥାନାରେ ‘ଜୁବେନ୍ତିକା’ କାର୍ଯ୍ୟକ୍ରମ : କିଶୋର ବାଳକ-ବାଳିକାଙ୍କୁ ସୁରକ୍ଷା ଓ ସଚେତନତାର ବାର୍ତ୍ତା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ କିଶୋର ବାଳକ ଓ ବାଳିକାମାନଙ୍କ ସୁରକ୍ଷା, ସଚେତନତା ଓ ପୋଲିସ ପ୍ରତି ଭୟମୁକ୍ତ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ‘ଜୁବେନ୍ତିକା’ ନାମକ ବିଶେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର କାଶୀପୁର ବ୍ଲକ ବିଭିନ୍ନ ପୋଲିସ ଥାନାରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ କିଶୋର ବାଳକ-ବାଳିକାଙ୍କୁ ସୁରକ୍ଷା ଓ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଗୃହ ବିଭାଗ ଓ ଡିଜିପିଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରାଯାଇଥିଲା। କିଶୋର ବାଳକ-ବାଳିକାମାନେ ପୋଲିସକୁ ଭୟ ନକରି ଯେକୌଣସି ଅସୁବିଧା, ଅଘଟଣ କିମ୍ବା ଅନ୍ୟାୟ ଘଟିଲେ ନିର୍ଭୟରେ ଥାନାରେ ଅଭିଯୋଗ କରିବା ଏବଂ ସହାୟତା ନେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।
ଟିକିରି ଥାନାରେ ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। କିଶୋର ବାଳିକା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସୁରକ୍ଷିତ ରହିବା ସହ ନିର୍ଭୟରେ ପୋଲିସ ନିକଟକୁ ଆସିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କୁ ଥାନା ପରିଦର୍ଶନ କରାଇ ପୋଲିସର ବିଭିନ୍ନ ବିଭାଗ ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ମଧ୍ୟ ବୁଝାଇ ଦିଆଯାଇଥିଲା। ଏହି ଅବସରରେ ୫ ଜଣ ଅଙ୍ଗନବାଡି କର୍ମୀଙ୍କ ସହିତ ୨୫ ଜଣ କିଶୋର ବାଳକ-ବାଳିକା ଉପସ୍ଥିତ ଥିଲେ। ସହାୟତା ପାଇଁ ଟିକିରି ଥାନାରେ ପ୍ରସାନ୍ତ ସୁବୁଧିଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି ଅଣ୍ଡିରାକାଞ୍ଚ ଥାନାରେ ଆଇଆଇସି ପ୍ରସାନ୍ତ କୁମାର ସ୍ୱାଇଙ୍କ ଅଧ୍ୟକ୍ଷତାରେ ‘ଜୁବେନ୍ତିକା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୬୦ ଜଣ କିଶୋର ବାଳକ-ବାଳିକା ଅଂଶଗ୍ରହଣ କରି ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ଗ୍ରହଣ କରିଥିଲେ।
ଦରାଗୁଡା ଥାନାରେ ମଧ୍ୟ ଆଇଆଇସି ନିଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ୨୦ରୁ ଅଧିକ କିଶୋର ବାଳିକା ଉପସ୍ଥିତ ରହିଥିଲେ।
‘ଜୁବେନ୍ତିକା’ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ବାଳକ-ବାଳିକାଙ୍କ ମନରୁ ପୋଲିସ ପ୍ରତି ଭୟ ଦୂର କରି ସୁରକ୍ଷିତ ସମାଜ ଗଠନରେ ଏହା ସହାୟକ ହେବ ବୋଲି ଅଭିଭାବକ ଓ ସାଧାରଣ ଲୋକମାନେ ଆଶା ପ୍ରକାଶ କରିଛନ୍ତି।

0
0
0
s2sdefault