ବଲାଙ୍ଗିର (୦୮/୦୫): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ପ୍ରଥମେ ସେ ମାତୃ ଓ ଶିଶୁ ବିଭାଗକୁ ଦେଖିଥିଲେ, ପରେ ଓପିଡି ଓ ଡାଇଲେସିସ ବିଭାଗରେ ଯାଇ ରୋଗୀ ସେବା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ-୨ରେ ଆଜି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ବୈଠକରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଭୀମଭୋଇ ମେଡିକାଲ କଲେଜ ଡିନ-ପ୍ରିନ୍ସିପାଲ ଡା. ସ୍ୱୟମପ୍ରଭା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପରିବାର କଲ୍ୟାଣ ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଅଧିକ୍ଷକ ଡା. ବରୋଋଚି ଦାସ, ଡିପିଏଚଓ ଡା. ଯଦୁମଣି ନାୟକ, ଡିଏମଓ (ଏମଏସ) ତଥା ସୁପରିଣ୍ଟେଣ୍ଡେଣ୍ଟ ଡା. ଲଲିତ ମୋହନ ବିଶି ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନିରାପଦ ମାତୃତ୍ୱ ଓ ‘ଆନିମିଆ ମୁକ୍ତ ଭାରତ’ ବିଷୟରେ ଗୁରୁତ୍ୱ ଦେଇଥିଲେ । ପ୍ରବାସୀ ପ୍ରବଣ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଶା ଓ ମେଡିକାଲ ଅଧିକାରୀଙ୍କୁ ନଜର ରଖିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ରେଫ୍ରାଲ୍ କେସରେ ଗୁରୁତର ରୋଗୀଙ୍କୁ ତ୍ୱରାନ୍ୱିତ ଭାବେ ଆଗାମୀ ଚିକିତ୍ସା ନିମନ୍ତେ ଯଥାଶୀଘ୍ର ସ୍ଥାନାନ୍ତର କରାଯିବା ପାଇଁ ମେଡିକାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଉପକରଣ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯାଇଥିଲା । ଏହାସହିତ ଆୟୁର୍ବେଦ ମହାବିଦ୍ୟାଳୟ, ନର୍ସିଂ ବିଦ୍ୟାଳୟ ଓ ସମସ୍ତ ମେଡିକାଲ ସଂସ୍ଥାର ନୂତନ ଓ ପୁରୁଣା କୋଠାର ଭିତ୍ତିଭୂମି, ଔଷଧ ଉପଲବ୍ଧତା ଓ କାର୍ଯ୍ୟରତ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଭୀମଭୋଇ ମେଡିକାଲ କଲେଜ ଡିନ-ଅଧ୍ୟକ୍ଷଙ୍କ ସହ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ଖାଦ୍ୟ ଓ ଔଷଧର ଗୁଣମାନ ପରୀକ୍ଷା ପାଇଁ ଅଧିକ ସ୍ଥାନରେ ଚଢାଉ ଓ ତଦନ୍ତ କରିବାକୁ ଔଷଧ ଓ ଖାଦ୍ୟ ନିରୀକ୍ଷକଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । କର୍ମରେ ଅବହେଳାକୁ କୌଣସି ପ୍ରଶୟ ନ ଦେବାକୁ ସେ ତାଗିଦ କରିଥିଲେ । ମୁଖ୍ୟ ଅତିଥି ଡା. ମୁକେଶ ମହାଲିଙ୍ଗ ଏହି ଅବସରରେ ଏଏନଏମ କର୍ମୀଙ୍କୁ ହେମୋଗ୍ଲୋବିନ ମିଟର ବଣ୍ଟନ କରିଥିଲେ । ଏହି ବୈଠକରେ ଏଡିପିଏଚଓ ସୁଧା ବାର୍ଲା, ଡିପିଏମ ରାଜେଶ ରାଓ ପଟ୍ଟନାୟକଙ୍କ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପଦାଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
- Hits: 50







