ବାଲିଆପାଳରେ ମହିଳାମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ପାଇଁ ତାଲିମ ପ୍ରଦାନ
ବାଲେଶ୍ୱର, ମଇ ୦୬, ୨୦୨୬ - ବାଲେଶ୍ୱର ଜିଲ୍ଲା ସ୍ଥିତ ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତରେ ସକରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି ଗୀତା ରାଣୀ ଦେ। ଭଳି କି ଭଳି ରଙ୍ଗବେରଙ୍ଗ କପଡ଼ାରୁ ଆକର୍ଷଣୀୟ ଆପ୍ଲିକ୍ ଡିଜାଇନ ପ୍ରସ୍ତୁତ କରି ସ୍ଥାନୀୟ ଅଞ୍ଚଳରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି। ଏକ ସାମୁଦାୟିକ ତାଲିମ କାର୍ଯ୍ୟକ୍ରମରୁ ଶିଖିଥିବା ଏହି କଳା ଏବେ ଜୀବିକାର ରାହା ଦେଖାଇଛି- କେବଳ ଗୀତାଙ୍କ ପାଇଁ ନୁହେଁ ବରଂ ଅଞ୍ଚଳର ଅନ୍ୟ ମହିଳାଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବାର ସୁଯୋଗ ମିଳିଛି।
ଆପ୍ଲିକ୍ ଡିଜାଇନ ଶିଖିବା ପୂର୍ବରୁ ଗୀତା ଟେଲରିଂ ମାଧ୍ୟମରେ ଛୋଟ ଛୋଟ ଅର୍ଡର ନେଇ ନିଜ ପରିବାରକୁ ଆର୍ଥିକ ସହଯୋଗ ପ୍ରଦାନ କରୁଥିଲେ। ତଥାପି ତାଙ୍କ ପରିବାର ତାଙ୍କ ସ୍ୱାମୀଙ୍କ ରୋଜଗାର ଉପରେ ନିର୍ଭର କରୁଥିଲା। ହେଲେ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ ଆପ୍ଲିକ୍ ଡିଜାଇନିଂ ତାଲିମ ଶିବିରରେ ଯୋଗ ଦେବା ପରେ ଗୀତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା। ଅକ୍ଟୋବର ୨୦୨୫ ରୁ ଫେବୃଆରୀ ୨୦୨୬ ଯାଏଁ ଏହି ତାଲିମ କାର୍ଯ୍ୟକ୍ରମ ଜାରି ରହିଥିଲା। ଏଥିରେ ଗୀତାଙ୍କ ବ୍ୟତିତ ୨୨ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ।
ମାଷ୍ଟର ଟ୍ରେନର ଚନ୍ଦ୍ରକାନ୍ତିଙ୍କ ପାଖରୁ ତାଲିମ ଗ୍ରହଣ କରିବା ପରେ ଗୀତା ଓ ତାଙ୍କ ସାଥି ମହିଳାମାନେ ନିଜ କଳାକୁ ଔଦ୍ୟୋଗିକତାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସେମାନେ ଏକାଠି ହୋଇ, ରାମେଶ୍ୱର ଉତ୍ପାଦକ ସଂଗଠନର ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ବର୍ତ୍ତମାନ ଟେବୁଲ୍ କଭର, କୁଶନ୍ ସେଟ୍, ବେଡସିଟ୍, ଛତା, ଲାପଟପ୍ ବ୍ୟାଗ୍ ଏବଂ କାନ୍ଥରେ ଝୁଲୁଥିବା ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରୁଛି । ଆପ୍ଲିକ୍ ଡିଜାଇନ ର ଆଖପାଖ ଗାଁରେ ଚାହିଦା ବଢୁଥିବାରୁ ଏହି ବ୍ୟବସାୟ ଏକ ନିର୍ଭରଯୋଗ୍ୟ ଜୀବିକା ନିର୍ବାହର ବିକଳ୍ପ ଭାବେ ପରିଣତ ହୋଇଛି।
ବର୍ତ୍ତମାନ ସମୟରେ ଗୀତା ମାସକୁ ୮,୦୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ରୋଜଗାର କରୁଛନ୍ତି। ଏହି ଆୟ ତାଙ୍କ ଜୀବନରେ କିଛି ମାତ୍ରାରେ ଆର୍ଥିକ ସ୍ଥିରତା ସୃଷ୍ଟି କରିଛି। ନିଜ ସଫଳତା ସମ୍ପର୍କରେ ମତ ରଖି ଗୀତା କହିଛନ୍ତି ଯେ, ଦିନେ ଯେଉଁଠି ମୋତେ ଘରୁ ବାହାରିବାକୁ ସୁଯୋଗ ମିଳୁନଥିଲା, ଏବେ ମୋ କଳାକୁ ପରିବାର ଲୋକେ ଖୁବ ପ୍ରଶଂସା ଏବଂ ସମର୍ଥନ କରିଛନ୍ତି। ଆପ୍ଲିକ ଡିଜାଇନିଂ ଶିଖିବା ମୋତେ ଏକ ନୂତନ ପରିଚୟ ପ୍ରଦାନ କରିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ବନାଇଛି। ଏହା ଦ୍ୱାରା ମୁଁ ମୋ ପରିବାରକୁ ସହଯୋଗ କରିପାରୁଛି। ମୋ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବା ପାଇଁ ମୋତେ ସାହସ ମିଳିଛି।
ନିଜ ସଫଳତାରୁ ଅନୁପ୍ରାଣିତ ହୋଇ ଗୀତା ଅନ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଅନ୍ୟ ମହିଳାମାନଙ୍କୁ ଡିଜାଇନିଂର କଳା ଶିଖାଇ ସେମାନଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ଜୀବିକାର ବିକଳ୍ପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଆପ୍ଲିକ୍ ଡିଜାଇନିଂ ଶିବିରର ସଫଳତା ଉପରେ ଆଲୋକପାତ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନର ବାଲେଶ୍ୱରର ୟୁନିଟ୍ ଲିଡ୍ ପ୍ରମୋଦ କୁମାର ପାତ୍ର କହିଛନ୍ତି ଯେ: "ଟାଟା ଷ୍ଟିଲ୍ ଫାଉଣ୍ଡେସନରେ, ଆମେ ଗ୍ରାମୀଣ ମହିଳାମାନଙ୍କ ଦକ୍ଷତା ବିକାଶ କରି ତାହାକୁ ଉଦ୍ୟୋଗରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛୁ ଯାହାର ପ୍ରମୁଖ ଉଦାହରଣ ହେଉଛି ବାଲିଆପାଳରେ ଆରମ୍ଭ ହୋଇଥିବା ଆପ୍ଲିକ୍ ଡିଜାଇନିଂ ୱର୍କଶପ୍। ଗୀତା ପରି ମହିଳାମାନଙ୍କ ଦ୍ୱାରା ପ୍ରଦର୍ଶିତ ଆତ୍ମବିଶ୍ୱାସ ଏବଂ ଔଦ୍ୟୋଗିକ ମନୋବୃତ୍ତି ଦ୍ୱାରା ଆମେ ବେଶ ଉତ୍ସାହିତ। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ ଆମେ ଗୀତାଙ୍କ ପରି ଅନ୍ୟ ମହିଳାମାନଙ୍କ ଜୀିବକାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ ଜାରି ରଖିବୁ।
ବର୍ତ୍ତମାନ ସମୟରେ ମହିଳାମାନେ ଉତ୍ପାଦନର ଗୁଣବତ୍ତା ଏବଂ ବଜାର ଚାହିଦାକୁ ବୃଦ୍ଧି କରିବା ପାଇଁ ଉନ୍ନତ ମାନର ପ୍ରଶିକ୍ଷଣ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଫାଉଣ୍ଡେସନ ଦକ୍ଷତା ବିକାଶ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ଔଦ୍ୟୋଗିକତାକୁ ବୃଦ୍ଧି କରିହେବ।







