
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), କଳାହାଣ୍ଡି, ଭବାନୀପାଟଣାର ପରିକଳ୍ପନାରେ କଳାହାଣ୍ଡିର ପରମ୍ପରିକ ଖେଳଣା ଉପରେ ଆଧାରିତ ମାର୍ଗଦର୍ଶିକା “ପୋରାକୁଳେଇ” ର ଉନ୍ମୋଚନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।
ଏହି ପୁସ୍ତକଟି ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେଶବନ୍ଧୁ ସାହୁଙ୍କ ନେତୃତ୍ୱ ଓ ପରିକଳ୍ପନାରେ ପ୍ରସ୍ତୁତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ୩୦ ଜଣ ଅଭିଜ୍ଞ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସଂଯୁକ୍ତ ପ୍ରୟାସରେ ଏହା ରଚିତ ହୋଇଛି।
“ପୋରାକୁଳେଇ” ମାର୍ଗଦର୍ଶିକାରେ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କ ପାଇଁ ପରମ୍ପରିକ ଖେଳଣା ମାଧ୍ୟମରେ କିପରି ଆନନ୍ଦଦାୟୀ ଓ ସୃଜନଶୀଳ ଶିକ୍ଷଣ ପରିବେଶ ଗଢ଼ି ଉଠିପାରେ, ତାହାକୁ ଗୁରୁତ୍ୱ ଦିଆଯାଇଛି। ଏହା ମାଧ୍ୟମରେ ଶିକ୍ଷାକୁ ସରଳ, ରୁଚିକର ଓ ପ୍ରଭାବଶାଳୀ କରି ଉତ୍କୃଷ୍ଟ ଶିକ୍ଷଣ ଫଳାଫଳ ହାସଲ କରିବାର ପ୍ରୟାସ କରାଯାଇଛି।
ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ ଯୋଗଦେଇଥିବା ବେଳେ, ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାଏକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେଶବନ୍ଧୁ ସାହୁ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ମୁକୁନ୍ଦ ରେଡି ଓ ଶ୍ରୀ ଦାମୋଦର ବେହେରା ସହିତ ବିଭିନ୍ନ ବ୍ଲକରୁ ଆସିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା ସୁଚାରୁ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରଶିକ୍ଷିକା ଶ୍ରୀମତୀ ନିହାରିକା ଦେବୀ “ପୋରାକୁଳେଇ” ମାର୍ଗଦର୍ଶିକାର ରୂପରେଖ ଉପସ୍ଥାପନା କରି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ।
ଏହି ପ୍ରୟାସ ଜିଲ୍ଲାର ପ୍ରାଥମିକ ଶିକ୍ଷାକୁ ନୂତନ ଦିଗ ଦେବା ସହ ପାରମ୍ପରିକ ସଂସ୍କୃତିକୁ ଶିକ୍ଷା ସହ ଯୋଡ଼ିବାରେ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଛି।







