
ଭୁୁବନେଶ୍ୱର, ମଇ ୪ : ଅତ୍ୟାଧୁନିକ ଅସ୍ତ୍ରୋପଚାର ପାରଦର୍ଶିତା ଓ ବିଭିନ୍ନ ବିଭାଗର ସମନ୍ୱୟ ଫଳରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍ରେ ଦୁଇଟି ବିରଳ ଓ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ସଂପାଦନ କରାଯିବା ଦ୍ୱାରା ହସ୍ପିଟାଲ ଅଭୂତପୂର୍ବ ସଫଳତା ହାସଲ କରିଛି । ଚିକିତ୍ସା ନିମନ୍ତେ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ ବୁଲିବା ପରେ ଶେଷରେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଫେରିଛନ୍ତି ରୋଗୀ ।
ପ୍ରଥମ ରୋଗୀଙ୍କ କ୍ଷେତ୍ରରେ ଶ୍ୱାସନଳୀରେ ଅବରୋଧ ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହେଉଥିଲା । ଏହା ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏକ ଅତ୍ୟାଧୁନିକ ଶ୍ୱାସନଳୀ ପୁନଃନିର୍ମାଣ ପ୍ରକ୍ରିୟା- ଉନ୍ନତ ମାନର ସିଙ୍ଗଲ ଷ୍ଟେଜ୍ ଲାରିନ୍ଗୋଟ୍ରାକିଆଲ୍ ରିକନ୍ଷ୍ଟ୍ରକ୍ସନ୍ (ଏସ୍ଏସ୍ଏଲ୍ଟିଆର୍) ଅସ୍ତ୍ରୋପଚାର କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା ।
ଏହି ଜଟିଳ ଅସ୍ତ୍ରୋପଚାରଟି ଇଏନ୍ଟି ବିଭାଗର ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ, କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସମିର ପାଣିଗ୍ରାହୀ ଏବଂ ଡାକ୍ତର ଶୁଭଜିତ ସାହୁଙ୍କ ମିଳିତ ଉଦ୍ୟମରେ ସଂପାଦନ କରାଯାଇଥିଲା । ଏମାନଙ୍କର ମିଳିତ ପ୍ରଚେଷ୍ଟା ଯୋଗୁଁ ଏହି ଜଟିଳ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା । ଏହି ଅସ୍ତ୍ରୋପଚାରଟି ଦକ୍ଷିଣ ଓଡ଼ିଶାରେ ଏକ ବିରଳ ସଫଳ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି ।
ସେହିପରି ଅନ୍ୟ ଏକ ଜଟିଳ ସମସ୍ୟାରେ ପୀଡ଼ିତ ଥିବା ରୋଗୀ ଯାହାଙ୍କର ବେକରେ ନର୍ଭ ସିଥ ଟ୍ୟୁମର ସୃଷ୍ଟି ହୋଇଥିଲା ତାହାକୁ ବିଭିନ୍ନ ବିଭାଗର ଡାକ୍ତରମାନେ ମିଳିତ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ ସଫଳ ଚିକିତ୍ସା କରି ସୁସ୍ଥ କରାଇଛନ୍ତି । ଏହି ଟିମ୍ରେ ଡାକ୍ତର ସୁଧାକର ଜେନା, ଡାକ୍ତର ପ୍ରଭାତ ଜଗଦେବ, ଡାକ୍ତର ସାଇରୁଦ୍ର ପୁହାଣ ଓ ଡାକ୍ତର ପ୍ରତ୍ୟୁଷକାନ୍ତି ମିଶ୍ର ସାମିଲ ଥିଲେ । ସେମାନଙ୍କର ମିଳିତ ଉଦ୍ୟମ ଜଟିଳ ଅସ୍ତ୍ରୋପଚାରଗୁଡ଼ିକୁ ସଫଳ କରାଇବାର ଦକ୍ଷତାକୁ ପ୍ରତିପାଦିତ କରିଛି ।
ଡାକ୍ତରୀ ଟିମ୍କୁ ଶୁଭେଚ୍ଛା ଜଣାଇ ହସ୍ପିଟାଲ୍ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ପରୀକ୍ଷଣ ଏବଂ ଅସ୍ତ୍ରୋପଚାର କ୍ଷେତ୍ରରେ ଶୁଦ୍ଧତା, ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ୱାର୍କ ଏବଂ ରୋଗୀ ସେବା କ୍ଷେତ୍ରରେ ଉତ୍କର୍ଷତା ହିଁ ହସ୍ପିଟାଲ୍କୁ ସଫଳତା ଆଣିଦେଉଛି ।
ଧୀରେ ଧୀରେ ହସ୍ପିଟାଲଟି ଏଭଳି ଜଟିଳ ଚିକିତ୍ସାରେ ସଫଳ ହେଉଛି । ଅତ୍ୟାଧୁନିକ ଆଇସିୟୁ ଭିତିଭୂମି ଓ ପର୍ଯ୍ୟାପ୍ତ ଶଯ୍ୟା ଯୋଗୁଁ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି ।
ରାଜ୍ୟ
ଜଟିଳ ଅସ୍ତ୍ରୋପଚାର - ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା
- Hits: 105







