ଝାରସୁଗୁଡ଼ା, ୧ ମେ: ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବଢ଼ୁଥିବା ବେଆଇନ ପାଉଁଶ ଫିଙ୍ଗା (Illegal Ash Dumping) କୁ ନେଇ ଗୁରୁତର ଉଦ୍ବେଗ ପ୍ରକାଶ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଏହି ଅବସ୍ଥା ଉପରେ କଡ଼ା ନଜର ରଖିବା ପାଇଁ ସେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ପତ୍ର ଲେଖି ୨୪ ଘଣ୍ଟିଆ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ପାଇଁ ଦାବି କରିଛନ୍ତି।
ବିଧାୟକଙ୍କ ପତ୍ରରେ ଉଲ୍ଲେଖ ରହିଛି ଯେ, କିଛି ଅସାମାଜିକ ପରିବହନକାରୀ ଏବଂ କାରଖାନା ମାଲିକଙ୍କ ମଧ୍ୟରେ ଅନୈତିକ ସଠଠିକାରଣ ଫଳରେ ବିଳମ୍ବିତ ରାତ୍ରିରେ ଜନବସତି ଏବଂ ପରିଧି ଅଞ୍ଚଳରେ ବେଆଇନ ଭାବେ ପାଉଁଶ ଫିଙ୍ଗା ହେଉଛି। ଏହା ପରିବେଶକୁ ଗୁରୁତର ଭାବେ ପ୍ରଦୂଷିତ କରୁଥିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମାରାତ୍ମକ ପ୍ରଭାବ ପକାଉଛି।
ବିଶେଷ କରି ବାୟୁ ଓ ମାଟିର ଗୁଣବତ୍ତା ଅବନତି ଘଟୁଥିବା ବେଳେ ଲୋକମାନଙ୍କ ଦୈନିକ ଜୀବନଜୀବିକା ମଧ୍ୟ ବିପଦରେ ପଡ଼ୁଛି। ଏହାକୁ ରୋକିବା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ୨୪x୭ ଟାସ୍କ ଫୋର୍ସ ଗଠନ,ସନ୍ଦେହଜନକ ସ୍ଥାନ ଓ ପରିବହନ ରୁଟ୍ରେ ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ଚଢ଼ାଉ ,ଦୋଷୀ ପରିବହନକାରୀ ଓ କାରଖାନା ମାଲିକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରଶାସନୀୟ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ସୂଚିତ କରି ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଧାୟକ ତ୍ରିପାଠୀ ଏହି ସମସ୍ୟାର ତୁରନ୍ତ ଏବଂ କଠୋର ସମାଧାନ ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ପରିବେଶ ଓ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆହୁରି ଭୟାବହ ହେବ।








