ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି
ବିଜେପି ଦେଶର ଏକମାତ୍ର ଦଳ ଯିଏ ଆସନ ବୃଦ୍ଧି ବିନା ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରୁଛି
ଏହା ବିଜେପିର ପୁରୁଷ ପ୍ରାଧାନ୍ୟ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି
ମହିଳାଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ଦେବାରେ ଓ ସଶକ୍ତ କରିବାରେ ବିଜେଡି ସର୍ବାଗ୍ରେ ରହିଛି
ଭୁବନେଶ୍ୱର, ୦୧/୦୫/୨୦୨୬: ମହିଳା ସରଂକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପି ତରଫରୁ ବିରୋଧୀ ଦଳ ମାନଙ୍କୁ ମହିଳା ବିରୋଧୀ ବୋଲି କୁହାଯାଉଥିବାରୁ, ବିଜୁ ଜନତା ଦଳ କଡା ଜବାବ ଦେବା ସହିତ ବିଜେପି ମହିଳା ବିରୋଧୀ ବୋଲି ପାଲଟା ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ସାହୁ ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରୁ ପାରିତ ହୋଇସାରିଥିବା ବେଳେ ଏହାକୁ ଲାଗୁ କରିବା ପରିବର୍ତ୍ତେ କେବଳ ନାଟକ କରୁଛି ବୋଲି କହିଛନ୍ତି । ଏହାର ପ୍ରତିବାଦରେ ବିଜେଡି ତରଫରୁ ମେ’ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଛନ୍ତି ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଯେଉଁଭଳି ଭାବେ ସଂସଦରେ ବିଶେଷ ଅଧିବେଶନ ଡାକି ମହିଳା ସଂରକ୍ଷଣ ବିଲ୍କୁ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ସହିତ ଯୋଡି ଏହାକୁ ପାରିତ କରିବାକୁ ଉଦ୍ୟମ କରୁଥିଲେ, ତାହା ସମଗ୍ର ଦେଶ ଦେଖିଲା । ଏହି ବିଲ୍ କାଟ୍ ଖାଇବା ପରେ ବିଧାନସଭାରେ ବିଶେଷ ଅଧିବେଶନ ଡାକି ବିରୋଧୀ ଦଳ ମାନଙ୍କ ଉପରେ ମିଥ୍ୟା ଆରୋପ ଲଦିବା ପାଇଁ ଅପପ୍ରୟାସ କରୁଛନ୍ତି । ପାରିତ ହୋଇସାରିଥିବା ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବାକୁ ବିଜେପିର ଟାଳଟୁଳ ନୀତି ଆଜି ଲୋକଲୋଚନରେ ଧରା ପଡ଼ିଯାଇଛି । ୨୦୨୩ ମସିହାରେ ଏହା ପାରିତ ହେବା ସମୟରେ ବିଜେଡି ସମେତ ଦେଶର ସମସ୍ତ ରାଜନୈତିକ ଦଳ ଗୁଡିକ ସମର୍ଥନ ଜଣାଇଥିଲେ ଓ ଆଜି ମଧ୍ୟ ଜଣାଉଛନ୍ତି । ସୀମା ପୁନଃ ନିର୍ଦ୍ଧାରଣ ନାମରେ ବିଜେପି ମହିଳା ସଂରକ୍ଷଣ ବିଲ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଉଦ୍ୟମ କରୁଛି । ନିଜକୁ ମହିଳାଙ୍କ ହିତେଇଶି ଓ ବିରୋଧୀଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇବାକୁ ବିଜେପି ଜନଆକ୍ରୋଶ ରାଲି କରୁଛି । କିନ୍ତୁ ଦେଶର ମହିଳା ମାନେ ବୋକା ନୁହଁନ୍ତି, ସେମାନେ ଭଲ ଭାବେ ବୁଝି ସାରିଲେଣି । ବିଜେପି ଦେଶର ଏକ ମାତ୍ର ଦଳ ଯିଏକି ବର୍ତ୍ତମାନର ସଂସଦ ଓ ବିଧାନସଭା ଆସନ ଗୁଡିକରେ ସିଟ୍ ବୃଦ୍ଧି ନହେବା ପର୍ଯ୍ୟନ୍ତ ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବାକୁ ଚାହୁଁନାହିଁ । ଏହା ତାଙ୍କ ଦଳର ପୁରୁଷ ପ୍ରାଧାନ୍ୟ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି । ତେଣୁ ବିଜେପିର ଏହି ନାରୀ ବିରୋଧୀ ମନୋଭାବକୁ ଲୋକଙ୍କ ସାମ୍ନାରେ ରଖିବା ପାଇଁ ବିଜେଡି ତରଫରୁ ନାରୀ ଅଧିକାର ଅଭିଯାନ ମେ’ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ବିଜୁ ଜନତା ଦଳ ସମେତ ବିରୋଧୀ ଦଳ ମାନଙ୍କୁ ମହିଳା ବିରୋଧୀ ବୋଲି ବିଜେପି ଅଭିଯୋଗ କରିଆସୁଛି । ଏହା କେବଳ ଏକ ମିଛ ପ୍ରଚାର ବ୍ୟତୀତ ଆଉ କିଛି ନୁହେଁ । ମିଛ କହିବା, ବାରମ୍ୱାର ମିଛ କହିବା ଓ ଚିକ୍ରାର କରି ମିଛ କହିବା ବିଜେପିର ପୁରୁଣା ଅଭ୍ୟାସ । ୨୦୨୪ ମସିହା ସାଧାରଣ ନିର୍ବାଚନରେ ବିଜେପିର ଶୀର୍ଷ ନେତୃମଣ୍ଡଳୀ କିଭଳି ମିଛର ପ୍ରହେଳିକା ସୃଷ୍ଟି କରି ଓଡିଶାବାସୀଙ୍କୁ ଭ୍ରମିତ କରିଥିଲେ, ତାହା ଆଜି ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଲେଣି । ବିଜେପି କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ରାଜ୍ୟରେ ମହିଳା ସୁରକ୍ଷା ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ହୋଇଛି, ତାହା ରାଜ୍ୟକୁ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିଛି । ମହିଳାଙ୍କ ବିରୋଧରେ ଅପରାଧ ତାଲିକାରେ ପ୍ରଥମ ୧୦ଟି ରାଜ୍ୟ ଭିତରେ, ଓଡିଶା ସମେତ ସମସ୍ତ ବିଜେପି ରାଜ୍ୟ ରହିଛି ।
ଅପରପକ୍ଷରେ ବିଜୁ ଜନତା ଦଳକୁ ମହିଳା ସଂରକ୍ଷଣ ବିଲ୍ର ବିରୋଧୀ ବୋଲି ବିଜେପି ତରଫରୁ ଯାହା ଅଭିଯୋଗ କରାଯାଉଛି, ତାହାକୁ ଶ୍ରୀମତୀ ଛୁରିଆ ଦୃଢ଼ ଖଣ୍ଡନ କରିଥିଲେ । ମହିଳାଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନ କରିବାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୧୯୯୨ ମସିହାରେ ଦେଶରେ ପ୍ରଥମ କରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିଥିଲେ । ତାଙ୍କ ସୁପୁତ୍ର ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦%କୁ ବୃଦ୍ଧି କରିଥିଲେ । ଏହାଛଡା ଦେଶରେ ଯେତେବେଳେ ମହିଳା ସଂରକ୍ଷଣ ବିଲ୍ ନେଇ ଅନିଶ୍ଚିତତା ଲାଗି ରହିଥିଲା, ୨୦୧୮ ମସିହାରେ ଓଡିଶା ବିଧାନସଭାରେ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସରଂକ୍ଷଣ କରିବା ପାଇଁ ଏକ ସଙ୍କଳ୍ପ ପାରିତ କରିବା ସହିତ ବିଜେଡିର ପ୍ରତିନିଧିମଣ୍ଡଳୀ ଦେଶର ୨୨ଟି ରାଜନୈତିକ ଦଳକୁ ଭେଟି ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତେଇ ଥିଲେ । ଏହାଛଡା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ୱୀ କରାଇଥିଲେ । ତେଣୁ ବିଜେଡିକୁ ମହିଳା ବିରୋଧୀ କହିବା ହାସ୍ୟାସ୍ପଦ ।
ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ, ଆଜି ଓଡ଼ିଶାର ଓ ଦେଶର ମହିଳା ମାନେ ବିଜେପିର ମିଛ ପ୍ରଚାର ବିଷୟରେ ଜାଣିଗଲେଣି । ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରାୟ ୩ ବର୍ଷ ତଳେ ପାରିତ ହୋଇସାରିଥିବା ବେଳେ ମହିଳା ସଂରକ୍ଷଣ ଲାଗୁ କରିବା ପରିବର୍ତ୍ତେ ଯେଉଁଭଳି ଭାବେ ଜନଆକ୍ରୋଶ ରାଲି କରାଯାଉଛି, ଏହା ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି ।








