ଓଡ଼ଗାଁ,୧୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ବାର୍ଷିକୋତ୍ସବ ୨୦୨୬ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଦୀର୍ଘ ବର୍ଷ ବ୍ୟବଧାନରେ ଅନେକ ଛାତ୍ରଙ୍କ ଅନୁରୋଧ ଓ ପ୍ରଚେଷ୍ଟା ବଳରେ ଚଳିତ ବର୍ଷର ବାର୍ଷିକ ପୁରସ୍କାର ବିତରଣ ଓ ମନୋରଞ୍ଜନ କାର୍ଯ୍ୟକ୍ରମ କଲେଜ ପରିସରରେ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ମହାଆଡମ୍ବରରେ ପାଳିତ ହୋଇଛି । ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ଛଳରେ ଛାତ୍ରଛାତ୍ରୀଙ୍କୁ ଅନେକ ଉପଦେଶ ପ୍ରେରଣା ପ୍ରଦାନ କରିଥିଲେ ଥିଲେ। ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ଅଭିଭାଷଣ ମାଧ୍ୟମରେ ବାର୍ଷିକୋତ୍ସବ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଅଳୀଅର୍ଦଳୀ ଆଜି ସାକାର ହୋଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଉମର ମଲିକ୍ ଯୋଗଦେଇ କହିଥିଲେ ଯେ, ଓଡ଼ଗାଁ ହେଉଛି ଭକ୍ତ ରଘୁନାଥଙ୍କ ପବିତ୍ର ମାଟି ଏବଂ ଅଧ୍ୟକ୍ଷ ଭାବେ ସେ ଏଠାରୁ ଅନେକ ସମ୍ମାନ ପାଇଛନ୍ତି। କଲେଜର ଶିକ୍ଷା ପ୍ରଣାଳୀ ଓ ଆଚାର-ବ୍ୟବହାରକୁ ସେ ବିଶେଷ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଡ. ବିଜୟ କୁମାର ଚୌଧୁରୀ କଲେଜର ପ୍ରାରମ୍ଭିକ ଅବସ୍ଥାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଉନ୍ନତି ଉପରେ ଆଲୋକ ପାତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଅସ୍ମିତା ରକ୍ଷା ଓ ସମୟାନୁବର୍ତ୍ତିତାର ଗୁରୁତ୍ୱ ସମ୍ପର୍କରେ ଜଣାଇଥିଲେ। ଏଚଡିଏଫସି ବ୍ୟାଙ୍କର ମ୍ୟାନେଜର ବିଭୁତି ମହାପାତ୍ର କଲେଜରେ ବିନା ଖର୍ଚ୍ଚରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ପ୍ରଚଳନ କରାଯାଇଥିବା କଥା ଉଲ୍ଲେଖ କରି, ଆଗାମୀ ଦିନରେ ଅନଲାଇନ ମାଧ୍ୟମରେ ପୁନଃ ପ୍ରବେଶ ଦେୟ ଓ ଅନ୍ୟାନ୍ୟ ଶୁଳ୍କ ଦେୟ ବ୍ୟବସ୍ଥାକୁ ସକ୍ରିୟ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧିକାରୀ ନିହାର ରଞ୍ଜନ ବେହେରା ଯୋଗଦେଇ କଲେଜର ଆଲୋକିକରଣ ବ୍ୟବସ୍ଥାରେ ସୁଧାର ଓ ଯଥାଶୀଘ୍ର ଓପନ ଜିମ୍ ସୁବିଧା ଉପଲବ୍ଧ କରାଯିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରବିନ୍ଦ୍ର କୁମାର ପଟ୍ଟନାୟକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ. ସୁକାନ୍ତ କୁମାର ସାହୁ, ଓଡ଼ିଆ ଅଧ୍ୟାପକ ଡ. ଚିତ୍ତରଞ୍ଜନ ଦାଶଙ୍କ ସମେତ ଶିକ୍ଷା ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ମଞ୍ଚାସୀନ ହୋଇ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଯିବା ପରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଉତ୍ସବ ଅଧିକ ରଙ୍ଗିନ ହୋଇଉଠିଥିଲା ।
ରାଜ୍ୟ
ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ବାର୍ଷିକୋତ୍ସବ–୨୦୨୬ ଜାକଜମକରେ ପାଳିତ,
- Hits: 156








